ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ଭିଜିଲାନ୍ସ ଜାଲରେ ବିଡିଏର ସେକ୍ସନ ଅଫିସର, ଠାବ ହେଲା ଦେଢ଼ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି

ଭୁବନେଶ୍ବର : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଡିଏ ସେକ୍ସନ୍‌ ଅଫିସର୍‌ ବିଭୂତି ଭୂଷଣ ରାୟଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ତାଙ୍କର ପାଖାପାଖି ଦେଢ଼ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି। ଏଥିରେ ମଧ୍ୟ ଭୁବନେଶ୍ବରର ରସୁଲଗଡ଼ ଜିଜିପି କଲୋନିରେ ଥିବା ୬ଟି ଜମି ଓ ସେଥିରେ ୩ ମହଲା ବିଶିଷ୍ଟ ଘର, ଜଗତସିଂହପୁର ବିରିବାଟିରେ ଥିବା ପୈତୃକ ଘର ଓ ବିଡିଏ କାର୍ଯ୍ୟାଳୟ ଆଦି ରହିଛି। ଏହାବ୍ୟତୀତ ତାଙ୍କ ଘରୁ ୫ଲକ୍ଷ ଟଙ୍କାର ଘର ସାମଗ୍ରୀ, ଗୋଟିଏ ମାରୁତି କାର, ୭ ଲକ୍ଷ ଟଙ୍କାର ସୁନାଗହଣା, ବ୍ୟାଙ୍କରେ ସ୍ଥାୟୀ ଜମା ୪ଲକ୍ଷ, ବ୍ୟାଙ୍କରେ ଜମା ଖାତାରେ ୫ଲକ୍ଷ ଟଙ୍କା ଆଦି ରହିଛି। ଏ ସବୁକୁ ହିସାବକୁ ନେଲେ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପାଖାପାଖି ଦେଢ଼ କୋଟି ହେବ ବୋଲି ଭିଜିଲାନ୍ସର ଜଣେ ଅଧିକାରୀ କହିଛନ୍ତି। ଏବେ ବି ତାଙ୍କ ସମ୍ପତ୍ତିର ଆକଳନ ଚାଲିଛି। ତାଙ୍କ ନିକଟରୁ ଏକ କୋଟିରୁ ଅଧିକ ସମ୍ପତ୍ତି ଥିବାରୁ ତାଙ୍କ ନାଁରେ ଆଉ ଏକ ଫୌଜଦାରୀ ମାମଲା ହେବ। ଭିଜିଲାନ୍ସ ପକ୍ଷରୁ ବିଭୂତିଙ୍କୁ ଅଟକ ରଖାଯାଇଛି। ତାଙ୍କୁ ଭିଜିଲାନ୍ସର ଅଧିକାରୀମାନେ ପଚରାଉଚରା କରୁଛନ୍ତି। ଆବଶ୍ୟକ ପଡ଼ିଲେ ଗିରଫ କରାଯାଇ ପାରେ ବୋଲି ଭିଜିଲାନ୍ସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଭିଜିଲାନ୍ସ କାର୍ଯ୍ୟାଳୟଠାରୁ ମିଳିଥିବା ସୂଚନା ମୁତାବକ, ବିଭୂତିଙ୍କର ଆୟଠାରୁ ଅଧିକ ସମ୍ପତ୍ତି ଥିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ ଭିଜିଲାନ୍ସର ଅଧିକାରୀମାନେ ଖୋଳତାଡ଼ ଆରମ୍ଭ କରିଥିଲେ। ତହସିଲ କାର୍ଯ୍ୟାଳୟରେ ଛାନଭିନ୍ ବେଳେ ଜଣାପଡ଼ିଥିଲା ଯେ ଭୁବନେଶ୍ବରର ରସୁଲଗଡ଼ ଜିଜିପି କଲୋନି ଅଞ୍ଚଳରେ ୬ଟି ପ୍ଲଟ ରହିଛି। ବଡ଼ କଥା ହେଉଛି ସେହି ପ୍ଲଟ୍‌ ଉପରେ କେଉଁଠି ୩ ମହଲା ଘର ତ ଆଉ କେଉଁଠି ଦୁଇ ମହଲା ଘର ଠିଆ ହୋଇଛି। ଏହାଛଡ଼ା ତାଙ୍କର ଜଗତସିଂହପୁର ବିରିଡିରେ ମଧ୍ୟ ସୁଉଚ୍ଚ ଅଟ୍ଟାଳିକା ରହିଛି। ଜଣେ ସରକାରୀ ଅଫିସର ହୋଇ ସେ କେମିତି ଏତେ ସମ୍ପତ୍ତିର ଅଧିକାରୀ ହେଲେ ସେନେଇ ଭିଜିଲାନ୍ସର ଅଧିକାରୀମାନେ ଖୋଳତାଡ଼ କରୁଛନ୍ତି। ବିଡିଏ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା।

ସମ୍ବନ୍ଧିତ ଖବର