କୋଲକାତା: ଦୁଷ୍କର୍ମ କରି ନାବାଳିକାକୁ ପ୍ରତି ଥର ୧୦ଟଙ୍କା ଦେଉଥିଲେ ବୃଦ୍ଧ। ଚୁପ ନରହିଲେ ମାରିଦେବାକୁ ଦେଉଥିଲେ ଧମକ। ପଶ୍ଚିମବଙ୍ଗର ଦାର୍ଜିଲିଙ୍ଗରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ଅଭିଯୁକ୍ତର ବୟସ ୬୮ବର୍ଷ ହୋଇଥିବା ବେଳେ ସେ ଜଣେ ନାବାଳିକାକୁ ୧୦ଟଙ୍କା ଦେଇ ଦୁଷ୍କର୍ମ କରୁଥିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସବୁଠୁ ବଡ଼ କଥା ହେଲା ଦୁଷ୍କର୍ମ କରିସାରିବା ପରେ ଅଭିଯୁକ୍ତ ପୀଡ଼ିତାଙ୍କୁ ହତ୍ୟା ଧମକ ଦେଉଥିଲା। କାହାକୁ ଦୁଷ୍କର୍ମ ବିଷୟରେ କହିଲେ ତଣ୍ଟି କାଟିଦେବି ବୋଲି ଅଭିଯୁକ୍ତ ଧମକ ଦେଉଥିବା କହିଛି ପୁଲିସ।
ପୁଲିସ ଦେଇଥିବା ସୂଚନା ମୁତାବକ, ସୋମବାର ପୀଡ଼ିତାଙ୍କ ସହ ହେଉଥିବା ଅପରାଧ ସାମ୍ନାକୁ ଆସିଥିଲା। ପୀଡିତା ଜଣେ ପଞ୍ଚମ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ସେ ଦୁଷ୍କର୍ମର ଶିକାର ହେଉଥିବା ବିଷୟରେ ତାଙ୍କ ମା’ଙ୍କୁ କହିଥିଲେ। ତା’ପରେ ତାଙ୍କ ମା’ ପୁଲିସ ନିକଟରେ ଅଭିଯୋଗ କରିବା ପରେ ଘଟଣାଟି ସାମ୍ନାକୁ ଆସିଛି।
“ଏତଲା ଅନୁଯାୟୀ ପୀଡ଼ିତା ତାଙ୍କ ଘରେ ଏକୁଟିଆ ଥିବାବେଳେ ଦୁଷ୍କର୍ମର ଶିକାର ହେଉଥିଲେ। ଅଭିଯୁକ୍ତ ସ୍ଥାନୀୟ ବାସିନ୍ଦା ତାଙ୍କ ସହ ଦୁଷ୍କର୍ମ କରିବା ପରେ ପ୍ରତିଥର ତାଙ୍କୁ ୧୦ଟଙ୍କା ଦେଉଥିଲେ। ଯଦି ସେ କାହାକୁ ଦୁଷ୍କର୍ମ ବିଷୟରେ କହନ୍ତି ତେବେ ତାଙ୍କୁ ଗଳା କାଟି ହତ୍ୟା କରାଯିବ ବୋଲି ଧମକ ଦେଉଥିଲେ।"
ପୀଡ଼ିତାଙ୍କ ମା’ ଏଭଳି ଅଭିଯୋଗ କରିବା ପରେ ଏବେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ।