କୋଲ୍କାତା: ୩ ବର୍ଷ ହେବ ନିଖୋଜ ହୋଇଯାଇଥିବା ଜଣେ ମହିଳାଙ୍କ କଙ୍କାଳ ପଶ୍ଚିମବଙ୍ଗ ‘କ୍ରିମିନାଲ୍ ଇନ୍ଭେଷ୍ଟିଗେସନ୍ ଡିପାର୍ଟମେଣ୍ଟ୍’ (ସିଆଇଡି) ଗୋଟାଏ ‘ସେପ୍ଟିକ୍ ଟ୍ୟାଙ୍କ୍’ ଉଦ୍ଧାର କରିଛି ବୋଲି ପୁଲିସ କହିଛି।
ଉକ୍ତ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ତାଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଛି। ଟୁମ୍ପା ମଣ୍ଡଳ ନାମ୍ନୀ ସେ ମହିଳାଜଣକ ୨୦୨୦ ମାର୍ଚରୁ ନିରୁଦ୍ଦିଷ୍ଟ ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ତାଙ୍କର ବାପା ଲକ୍ଷ୍ମଣ ହଲ୍ଦର୍ ସ୍ଥାନୀୟ ଥାନାରେ ନିରୁଦ୍ଦିଷ୍ଟ ଅଭିଯୋଗ କରିଥିଲେ।
ପ୍ରାରମ୍ଭିକ ତଦନ୍ତ ପରେ ୨୦୨୦ ଏପ୍ରିଲ୍ରେ ପୁଲିସ ଟୁମ୍ପାଙ୍କ ସ୍ବାମୀ ଭୋମ୍ବାଲ୍ ମଣ୍ଡଳଙ୍କୁ ଗିରଫ କରିଥିଲେ ବି ପ୍ରମାଣ ଅଭାବରୁ ଅଦାଲତ ତାଙ୍କୁ ଜାମିନ ମଞ୍ଜୁର କରିଥିଲେ।
ତେଣୁ, ଉଚ୍ଚସ୍ତରୀୟ ତଦନ୍ତ ନିମେନ୍ତ ଅନୁରୋଧ କରି ଟୁମ୍ପାଙ୍କ ବାପା କୋଲ୍କାତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କ ଆବଦେନ ଶୁଣାଣି କରି ମାମଲାର ଅଧିକ ତଦନ୍ତ ଲାଗି କୋଲ୍କାତା ହାଇକୋର୍ଟ ଏହି ମାମଲା ପଶ୍ଚିମବଙ୍ଗ ‘ସିଆଇଡି’ ଉପରେ ନ୍ୟସ୍ତ କରିଥିଲେ।
ହାଇକୋର୍ଟଙ୍କ ଆଦେଶ ଅନୁସାରେ, ଜୁନ୍ ୧୩ ତାରିଖ ଦିନ ‘ସିଆଇଡି’ ଏହି ମାମଲା ହାତକୁ ନେଇଥିଲା। ‘ସିଆଇଡି’ ଜେରା କରିବାରୁ ୧୦ ଦିନ ମଧ୍ୟରେ ଭୋମ୍ବାଲ୍ ମଣ୍ଡଳ ସ୍ତ୍ରୀଙ୍କୁ ହତ୍ୟା କରିଥିବା କଥା ସ୍ବୀକାର କରିଥିଲେ।
ସେ କହିଲେ କି, ୨୦୨୦ରେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଗୋଟାଏ ଭଡ଼ାଘରେ ରହୁଥିବା ବେଳେ ସେ ସ୍ତ୍ରୀ ଟୁମ୍ପା ମୁହଁରେ ତକିଆ ମାଡ଼ି ଶ୍ବାସରୁଦ୍ଧ କରି ହତ୍ୟା କରି ତା’ର ଶବକୁ ଗୋଟାଏ ‘ସେପ୍ଟିକ୍ ଟ୍ୟାଙ୍କ୍’ରେ ପକାଇ ଦେଇଥିଲେ। ପରକୀୟା ପ୍ରେମ କରୁଥିବା ସନ୍ଦେହ କରି ସେ ସ୍ତ୍ରୀଙ୍କୁ ହତ୍ୟା କରିଥିବା କଥା ତଦନ୍ତକାରୀଙ୍କୁ କହିଛନ୍ତି।
ଅଭିଯୁକ୍ତଙ୍କ କହିବା ଅନୁଯାୟୀ ‘ସିଆଡି’ ‘ସେପ୍ଟିକ୍ ଟ୍ୟାଙ୍କ୍’ ତଲାସ କରି ଟୁମ୍ପାଙ୍କ କଙ୍କାଳ ସମେତ ସେ ପିନ୍ଧୁଥିବା ଗହଣା ପାଇଥିଲେ।