ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଜଣେ ବନ୍ଧୁର ଜନ୍ମଦିନ ପାର୍ଟିକୁ ଯାଇଥିବା ଜଣେ ୧୭ ବର୍ଷିୟ ତରୁଣଙ୍କର ବାହୁରେ କିଛି ଦିନ ପରେ ଡାକ୍ତରମାନେ ବିଷାକ୍ତ ପଦାର୍ଥ ଥିବା ଜାଣିବା ପରେ ତାଙ୍କ ହାତଟିକୁ କାଟି ପକାଇଛନ୍ତି।

Advertisment

ଅଭିଯୁକ୍ତଜଣକ ତରୁଣଙ୍କ ହାତରେ ‘ଡ୍ରଗ୍‌’ ଇଞ୍ଜେକ୍‌ସନ୍‌ ଫୋଡ଼ି ଦେଇଥିବା କଥା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେଥିପାଇଁ ଜନ୍ମଦିନ ପାର୍ଟିର ୪ ଦିନ ପରେ ତାଙ୍କ ହାତ ଫୁଲି ଯାଇଥିଲା। ପରିବାର ଲୋକେ ସେ ତରୁଣଙ୍କୁ ଡାକ୍ତରଙ୍କ ପାଖକୁ ନେବା ପରେ ସେମାନେ ପରାମର୍ଶ ଦେଲେ କି, ତାଙ୍କ ବାହୁରେ ବିଷାକ୍ତ ପଦାର୍ଥ ରହିଯାଇଥିବାରୁ ହାତଟିକୁ କାଟିବାକୁ ପଡ଼ିବ।

ପ୍ରାପ୍ତ ସୂଚନା ଅନୁସାରେ, ପୂର୍ବରୁ ତରୁଣଜଣକ କହିଥିଲେ ଯେ, ବେଙ୍ଗାଲୁରୁର ଚମରାଜପେଟ୍‌ ଅଞ୍ଚଳରେ ଆୟୋଜିତ ଉକ୍ତ ଜନ୍ମଦିନ ପାର୍ଟିରେ ଭଲି ବଲ୍‌ ପ୍ରଶିକ୍ଷକ ଥିବା ସେ ଅଭିଯୁକ୍ତଜଣକ କିଛି ବଟିକା ଚୂରି ପାଣିରେ ଗୋଳାଇ ଗୋଟାଏ ସିରିଞ୍ଜ୍ ଯୋଗେ ତାଙ୍କ ବାହୁରେ ଫୋଡ଼ି ଦେଇଥିଲେ।

ଅଳ୍ପ କିଛି ଦିନ ପରେ ତରୁଣଟିର ବାହୁ ଫୁଲିଗଲା। ପରିବାର ଲୋକେ ତାକୁ ନେଇ ସଞ୍ଜୟ ଗାନ୍ଧୀ ହସ୍ପିଟାଲ୍‌କୁ ଯିବାରୁ କହିଲେ କି, ବିଷାକ୍ତ ପଦାର୍ଥ ବାହାର କରିବାକୁ ହେଲେ ହାତଟିକୁ କାଟିବାକୁ ପଡ଼ିବ।

ତରୁଣଟିର ପରିବାର ଲୋକଙ୍କ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କିନ୍ତୁ, ଅଭିଯୁକ୍ତ ଭଲି ବଲ୍‌ ପ୍ରଶିକ୍ଷକଜଣକ ଗୋଟାଏ ଗାଡ଼ି ଚୋରି ଅଭିଯୋଗରେ ଜେଲ୍‌ରେ ଅଛନ୍ତି।

ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସୁବିଧା ହେବା ଲାଗି ତରୁଣଙ୍କ ହାତରୁ ମିଳିଥିବା ବିଷାକ୍ତ ପଦାର୍ଥ ସମ୍ପର୍କରେ ରିପୋର୍ଟ ଦେବା ପାଇଁ ପୁଲିସ ଡାକ୍ତରମାନଙ୍କୁ ଅନୁରୋଧ କରିଛି। ପଚରା ଉଚୁରା ନିମନ୍ତେ ଅଭିଯୁକ୍ତଙ୍କୁ ଆଣିବା ଲାଗି ଏବେ ପୁଲିସ ଅଦାଲତରେ ମଧ୍ୟ ନିବେଦନ କରିବ।