ବେଙ୍ଗାଲୁରୁ: ୧.୫କୋଟି ଟଙ୍କା ପାଇଁ ବାପା ନେଲା ପୁଅର ଜୀବନ। ବିଚ୍ ରାସ୍ତାରେ ପୁଅ ଦେହରେ ନିଆଁ ଲଗାଇ ଛଟପଟ ହୋଇ ମରିବାକୁ ଛାଡ଼ି ଦେଲା ବାପା। ଏଭଳି ହୃଦୟ ଥରାଇ ଦେବା ଭଳି ଘଟଣା ଘଟିଛି ବେଙ୍ଗାଲୁରୁରେ। ବ୍ୟକ୍ତିଗତକାରଣ ପାଇଁ ପୁଅ ୧.୫କୋଟି ଟଙ୍କା ଖର୍ଚ୍ଚ କରିଥିବାରୁ ରାଗରେ ଅଭିଯୁକ୍ତ ବାପା ଏଭଳି କରିଥିବା କହିଛି ପୁଲିସ। ଅଭିଯୁକ୍ତର ନାଁ ସୁରେନ୍ଦ୍ର ବୋଲି ଜଣାପଡ଼ିିଥିବା ବେଳେ ମୃତକଙ୍କ ନାଁ ଅର୍ପିତ ବୋଲି ଜଣାପଡ଼ିଛି।

Advertisment

ସୂଚନା ମୁତାବକ, ଅଭିଯୁକ୍ତ ସୁରେନ୍ଦ୍ରଙ୍କର ଏକ ଗ୍ରିଲ ତିଆରି କାରଖାନା ଥିଲା। ବୟସ ଅଧିକ ହେବା ପରେ ସେ ନିଜ ପୁଅ ଅର୍ପିତକୁ କାରଖାନା ଦାୟିତ୍ବ ବୁଝିବାକୁ କହିଥିଲେ। କିଛି ମାସ ତଳେ ସେ କାରଖାନାରୁ ହେଉଥିବା ଆୟର ହିସାବ ମାଗିବାରୁ ଅର୍ପିତ ୧.୫କୋଟି ଟଙ୍କାର ହିସାବ ଦେଇପାରିନଥିଲେ। ଏବେ ଅର୍ପିତ ପୁଣି ଥରେ ନିଜର ବ୍ୟକ୍ତିଗତ କାରଣ ପାଇଁ ୧୨,୦୦୦ ଟଙ୍କା ଖର୍ଚ୍ଚ କରିଥିବା ଜାଣି ସୁରେନ୍ଦ୍ର ରାଗିଯାଇଥିଲେ। ଏହି କାରଣରୁ ସେ ଅର୍ପିତଙ୍କ ଦେହରେ ନିଜ ଘର ବାହ‌ାରେ ନିଆଁ ଲଗାଇଦେଇଥିଲେ।

ଘଟଣା ଘଟିବା ସମୟର ଏକ ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ସେଥିରେ ଦେଖାଯାଇଛି ଯେ, ସୁରେନ୍ଦ୍ର ଅର୍ପିତଙ୍କ ଦେହରେ ନିଆଁ ଲଗାଇବା ପାଇଁ ପ୍ରୟାସ କରୁଛନ୍ତି। ପ୍ରଥମ ପ୍ରୟାସ ବିଫଳ ହେବା ପରେ ସେ ଦ୍ବିତୀୟ ଥର ନିଆଁ ଲଗାଇବାକୁ ଉଦ୍ୟମ କରୁଛନ୍ତି, ଯାହା ସଫଳ ହେଉଛି। ଅର୍ପିତଙ୍କ ଦେହରେ ନିଆଁ ଲାଗିବା ପରେ ସେ ଚିତ୍କାର କରି ଦୌଡ଼ିବାକୁ ଲାଗୁଛନ୍ତି।

ତେବେ ଏହି ଘଟଣା ପରେ ସ୍ଥାନୀୟ ଲୋକେ ଅର୍ପିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ବି ସେଠାରେ ୨ଦିନ ଚିକିତ୍ସିତ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।