ବେଙ୍ଗାଲୁର: ବେଙ୍ଗାଲୁରୁର ଏକ ଲୋକପ୍ରିୟ କଫି ଚେନରେ କାର୍ଯ୍ୟ କରୁଥିବା ଜଣେ ୨୩ ବର୍ଷ ବୟସ୍କ ଯୁବକ ମହିଳାଙ୍କର ୱାସରୁମରେ ଭିଡିଓ ରେକର୍ଡିଂ ପାଇଁ ଫୋନ୍ ରଖିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଜଣେ ମହିଳା ୱାସ୍ରୁମ୍ ଯାଇଥିବା ବେଳେ ଏକ ଡଷ୍ଟବିନରେ ମୋବାଇଲ୍ ଫୋନ୍ ଲୁଚାଇ ରଖାଯାଇଥିବାର ଦେଖିବାକୁ ପାଇଥିଲେ। ମହିଳାଙ୍କ ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ ଫୋନଟିରୁ କୌଣସି ପ୍ରକାରର ଶବ୍ଦ ଶୁଭିବନି ବୋଲି ତାହାକୁ ଫ୍ଲାଇଟ୍ ମୋଡରେ ରଖାଯାଇଥିଲା।
ମହିଳା ଜଣକ ୱାସରୁମ୍ରେ ଫୋନ୍ ପାଇବା ପରେ ତାହାକୁ ନେଇ ଏକ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ପୁଲିସ୍ ଏବେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ମନୋଜ ବେଙ୍ଗାଲୁରୁର ଗୁଟ୍ଟାହଲିର ବାସିନ୍ଦା ଏବଂ ଶିବାମୋଗା ନିବାସୀ। ସେ ଛଅ ମାସ ଧରି ବେଲ୍ ରୋଡରେ ଥିବା ଥାର୍ଡ ୱେ କଫି ଦୋକାନରେ କାର୍ଯ୍ୟ କରୁଥିଲେ। ଏହି ଘଟଣା ପରେ ତାଙ୍କୁ ବରଖାସ୍ତ କରାଯାଇଥିବା ଜାଣିବାକୁ ମିଳିଛି।
ଇନଷ୍ଟାଗ୍ରାମରେ ପ୍ରୋଫାଇଲ୍ ନାମ 'ଗ୍ୟାଙ୍ଗସ୍ ଅଫ୍ ସିନେପୁର' ଦେଇଥିବା ଜଣେ ମହିଳା ପ୍ରାୟ ଦୁଇ ଘଣ୍ଟା ଧରି ଭିଡିଓ ରେକର୍ଡିଂ ସହିତ ଘଟଣାକୁ ବର୍ଣ୍ଣନା କରିଥିଲେ। ସେ ଏ ସଂପର୍କରେ ଏକ ଭିଡିଓ ପୋଷ୍ଟ କରିବା ପରେ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା।
"ମୁଁ (ଅଗଷ୍ଟ ୯) ସକାଳେ ବେଙ୍ଗାଲୁରୁର ଥାର୍ଡ ୱେ କଫି ଆଉଟଲେଟରେ ଥିଲି, ସେତେବେଳେ ମହିଳାଙ୍କ ୱାସ୍ରୁମ୍ରେ ଫୋନ୍ ରଖା ଯାଇଥିବା ଦେଖିବାକୁ ପାଇଥିଲି। ଫ୍ଲାଇଟ୍ ମୋଡରେ ଯତ୍ନର ସହ ଫୋନ୍ଟିକୁ ରଖାଯାଇଥିଲା’’ ବୋଲି ମହିଳା ଜଣକ କହିଛନ୍ତି।