ବେଙ୍ଗାଲୁରୁ: ଭାରତରେ ପ୍ରତିଦିନ ବିଭିନ୍ନ କୋଣରୁ ଚୋରି ହେବାର ଖବର ଆସେ। ଚୋରଙ୍କ ଚୋରି କରିବାର ଭିନ୍ନ ଭିନ୍ନ ଶୈଳୀ ଚର୍ଚ୍ଚାର ବିଷୟ ପାଲଟେ। ଲୋକେ ଯେତେ ସତର୍କ ରହିଲେ ବି ଚୋରମାନେ ଚୋରି କରିବାର ବାଟ ବାହାର କରିନିଅନ୍ତି। ଏବେ ବେଙ୍ଗାଲୁରୁରେ ଜଣେ ଚୋରି କରିଥିବା କାମର ଚର୍ଚ୍ଚା ଏବେ ଚାରିଆଡେ। ଚୋର ୧.୫୧କୋଟି ଚୋରି କରି ନିଜ ପାଖରେ ରଖିବା ପରିବର୍ତ୍ତେ ମନ୍ଦିରକୁ ଦାନ କରିଥିଲା। ଏବେ ମନ୍ଦିର ପ୍ରଶାସନ ପୀଡ଼ିତଙ୍କୁ ତାଙ୍କ ଟଙ୍କା ଫେରାଇବାକୁ ମନା କରୁଛି।
ସୂଚନା ମୁତାବକ, ଏହି ଘଟଣାଟି ମେ’ ୫ ତାରିଖରେ ବେଙ୍ଗାଲୁରୁରେ ଘଟିଥିଲା। କୋଦଣ୍ଡରାମପୁରାର ଜଣେ ୪୬ ବର୍ଷୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ତାଙ୍କ ବିଶ୍ୱସ୍ତ ଡ୍ରାଇଭର ରାଜେଶ ବିଏନଙ୍କୁ ୧.୫୧ କୋଟି ଟଙ୍କା ଥିବା ଏକ ବ୍ୟାଗ ଦେଇଥିଲେ। ୧୦ବର୍ଷ ଧରି ରାଜେଶ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ସହ କାମ କରୁଥିବାରୁ ବିଶ୍ବାସ କରି ତାଙ୍କୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଗାଡ଼ିରେ ରଖିବାକୁ କହିଥିଲେ। ହେଲେ ରାଜେଶ ଟଙ୍କା ଭର୍ତ୍ତି ବ୍ୟାଗ୍ ସହ କାର୍ ନେଇ ଫେରାର ହୋଇଯାଇଥିଲେ।
ଚାର୍ଟାର୍ଡ ଆକାଉଣ୍ଟାଣ୍ଟଜଣକ ଅଭିଯୋଗ କରିଥିଲେ ଯେ, "ମୁଁ ଶୀଘ୍ର ମୋ ଅଫିସ ଯିବା ପରେ ସେଠାରେ ମୋର ଗାଡ଼ି ପାର୍କିଂ ହୋଇଥିବା ଦେଖିଲି। ଯେତେବେଳେ ମୁଁ ରାଜେଶଙ୍କୁ ଫୋନ୍ କଲି, ସେ କହିଲେ ଯେ, ସେ ଏକ ଦୋକାନରୁ ଔଷଧ କିଣୁଛନ୍ତି ଏବଂ ୧୦ମିନିଟ୍ ମଧ୍ୟରେ ଫେରି ଆସିବ। ହେଲେ ସେ ଫେରିଲେ ନାହିଁ। ତା'ପରେ ତାଙ୍କ ସହ ଯୋଗାଯୋଗ ହୋଇପାରିଲା ନାହିଁ।"
ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଅଭିଯୋଗ ପାଇବା ପରେ, ପୁଲିସ ରାଜେଶଙ୍କୁ ଠାବ କରି ପଚରାଉଚରା କରିଥିଲା। ସେ ନିଜର ଦୋଷ ସ୍ବୀକାର କରିବା ସହ ମନ୍ଦିରରେ ଟଙ୍କା ଦାନ କରିଥିବା କହିଥିଲା। ଏବେ ଦାନ କରାଯାଇଥିବା ଟଙ୍କା ଅଣାଯାଇପାରିବ ନାହିଁ ବୋଲି କହିଛି ପୁଲିସ। ତେବେ ୧.୫୧କୋଟି ମଧ୍ୟରୁ ରାଜେଶ କିଛି ଖର୍ଚ୍ଚ କରିଥିଲେ ବୋଲି ପୁଲିସକୁ ଜଣାଇଥିବା ସାମ୍ନାକୁ ଆସିଛି।