ବେଙ୍ଗାଲୁରୁ : ଫେସବୁକରେ ସାଇବର ଅପରାଧୀଙ୍କ ଦ୍ୱାରା ବ୍ଲାକମେଲର ଶିକାର ହେବାରୁ ଜଣେ ଆଇଏଏସ୍ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ଛାତ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।
ସୂଚନାଯୋଗ୍ୟ, ମାର୍ଚ୍ଚ ୨୩ରେ ପୀଡିତ ଜଣକ କେଆର ପୁରମ୍ ନିକଟ ଭଟ୍ଟାରାହଲିସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ। ଏକ କୋଠରୀରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଆତ୍ମହତ୍ୟା ପରେ ପୀଡିତଙ୍କ ଭଉଣୀ ଫେସବୁକ ମେସେଞ୍ଜରରେ ନେହା ଶର୍ମାଙ୍କ ଦ୍ୱାରା ପଠାଯାଇଥିବା ଏକ ନୋଟ୍ ପାଇଥିଲେ। ସେଥିରୁ ସ୍ପଷ୍ଟ ହୋଇଥିଲା କି ଛାତ୍ର ଜଣକ ବ୍ଲାକମେଲର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି।
ସେ ଅଭିଯୋଗ କରିଛନ୍ତି, ବ୍ୟକ୍ତି ଜଣକ ମୋ ଭାଇର ମୋବାଇଲ୍ ନମ୍ବର ମାଗିଥିଲେ। ମୁଁ ମୋ ଭଣଜା ନମ୍ବର ଦେଇଥିଲି। ଆଉ ଏହା ମୋର ଭାଇର ବୋଲି କହିଥିଲି। ପରେ ବ୍ୟକ୍ତି ଜଣକ ନିଜକୁ ନେହା ଶର୍ମାଙ୍କ ଭାଇ ତେଜସ୍ ରମେଶ ଭୋଇ ବୋଲି ପରିଚୟ ଦେଇ ମୋ ଭଣଜାକୁ ମେସେଜ୍ କରିବା ଆରମ୍ଭ କରିଥିଲା। ସେଥିରୁ ସେ ମୃତକଙ୍କଠାରୁ ଟଙ୍କା ଆଦାୟ କରିବାକୁ ଉଦ୍ୟମ କରିଥିଲେ ବୋଲି ସ୍ପଷ୍ଟ ହୋଇଛି।
ସୂଚନା ଅନୁସାରେ, ଆତ୍ମହତ୍ୟା କରିଥିବା ଛାତ୍ରଙ୍କୁ ଫେସବୁକରେ ନେହା ଶର୍ମାଙ୍କ ଆଇଡିରୁ ଏକ ଫ୍ରେଣ୍ଡ ରିକ୍ବେଷ୍ଟ ଆସିଥିଲା। ଏହାପରେ ସେ ଆକସେପ୍ଟ କରିବା ପରେ ବନ୍ଧୁତ୍ବ ବଢ଼ିଥିଲା। ଥରେ ନେହା ଏକ ଭିଡିଓ କଲ କରି ନିଜ ପୋଷାକ ଖୋଲିବା ସହ ମୃତକଙ୍କୁ ପୋଷାକ ଉତାରିବାକୁ କହିଥିଲା। ଏହାପରେ ବ୍ଲାକମେଲର୍ ଏହି ଭିଡିଓଟିକୁ ରେକର୍ଡ କରି ଟଙ୍କା ମାଗିଥିଲା ଓ ନଦେଲେ ଭାଇରାଲ୍ କରିଦେବ ବୋଲି ଧମକ ଦେଇଥିଲା। ଏହା ପରେ ପୀଡିତ ତାଙ୍କ ବନ୍ଧୁମାନଙ୍କଠାରୁ ମାର୍ଚ୍ଚ ୨୨ରେ ଟଙ୍କା ନେଇ ଉକ୍ତ ବ୍ଲାକମେଲରକୁ ଦେଇଥିଲା। ଆକାଉଣ୍ଟ ଷ୍ଟେଟମେଣ୍ଟ ଯାଞ୍ଚ କରିବା ପରେ ମାର୍ଚ୍ଚ ୨୨ରେ ୬ଟି ଟ୍ରାନଜାକସନ ହୋଇଥିବା ଜଣାପଡ଼ିଥିଲା। ମାତ୍ର ଶେଷରେ ଲୋକଲଜ୍ଜା ଭୟରେ ଆତ୍ମହତ୍ୟାର ପଥ ବାଛି ନେଇଥିଲା।