ବେଙ୍ଗାଲୁରୁ: ଶୁକ୍ରବାର ଦିନ ବେଙ୍ଗାଲୁରୁର ନାଗାୱାରା ଅଞ୍ଚଳରେ ଜଣେ ୩୫ ବର୍ଷୀୟ ବ୍ୟକ୍ତି ତାଙ୍କ କାର୍ଯ୍ୟାଳୟରେ ଆତ୍ମହତ୍ୟା କରିଛନ୍ତି। ଜୀବନ ହାରିବା ପୂର୍ବରୁ ଲେଖିଥିବା ଏକ ଚିଠିରେ ସେ ଅଭିଯୋଗ କରିଛନ୍ତି ଯେ ଜଣେ ସ୍ଥାନୀୟ କଂଗ୍ରେସ ନେତାଙ୍କ ଦ୍ୱାରା ଫସାଇବା ପାଇଁ କରାଯାଇଥିବା ଏଫଆଇଆର ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା। ବିଜେପି କର୍ମକର୍ତ୍ତା ବିନୟ ସୋମୈୟା ଭାବରେ ଚିହ୍ନଟ ହୋଇଥିବା ଏହି ବ୍ୟକ୍ତି ଚିଠିରେ କଂଗ୍ରେସ କର୍ମକର୍ତ୍ତା ଟେନ୍ନେରା ମହିନା, ବିଧାୟକ ଏଏସ ପୋନାନ୍ନା ଏବଂ ଅନ୍ୟମାନଙ୍କ ବିରୋଧରେ ଅତ୍ୟାଚାର ଏବଂ ମିଥ୍ୟା ମାମଲାରେ ଫସାଇ ଥିବାର ଅଭିଯୋଗ କରିଛନ୍ତି।
କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ସୋମୱାରପେଟର ମୂଳ ବାସିନ୍ଦା ବିନୟ "କୋଡାଗିନା ସମସ୍ୟେଗାଲୁ" ହ୍ୱାଟସଆପ୍ ଗ୍ରୁପର ପ୍ରଶାସକ (ଆଡ୍ମିନ) ଥିଲେ, ଯେଉଁଠାରେ କଂଗ୍ରେସ ବିଧାୟକ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଆଇନଗତ ପରାମର୍ଶଦାତା ଏଏସ ପୋନାନ୍ନାଙ୍କ ବିରୋଧରେ ଏକ ବିବାଦୀୟ ପୋଷ୍ଟ ସେୟାର କରାଯାଇଥିଲା। ଫଟୋରେ ଶ୍ରୀ ପୋନାନ୍ନା ଏକ ପାରମ୍ପରିକ କୋଡାଭା ପୋଷାକ ପିନ୍ଧି ଶୌଚାଳୟ ପାଖରେ ଠିଆ ହୋଇଥିଲେ। ଫଟୋ ସହିତ ଅପମାନଜନକ ଲେଖା ମଧ୍ୟ ଥିଲା। ଏହା ପରେ, ଫଟୋ ପୋଷ୍ଟ କରିଥିବା ବ୍ୟକ୍ତି ଏବଂ ଗ୍ରୁପର ଆଡମିନ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା, ଯେଉଁଥିରେ ବିନୟ ମଧ୍ୟ ସାମିଲ ଥିଲେ। ଏତଲା ପରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ଜାମିନରେ ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ମାମଲା ଉପରେ କୋର୍ଟ ରହିତାଦେଶ ଜାରି କରିବା ସତ୍ତ୍ୱେ ପୁଲିସ ଏବଂ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଦ୍ବାରା ଅତ୍ୟାଚାରର ଶିକାର ହେଉଥିଲେ ବିନୟ। ୨ମାସ ଧରି ଏଭଳି ହେବାରୁ ମାନସିକସ୍ତରରେ ଚାପଗ୍ରସ୍ତ ହୋଇ ସେ ଜୀବନ ହାରିଥିବା ଚିଠିରେ ଲେଖିଛନ୍ତି।
ଶେଷରେ ବିନୟ କ୍ଷମା ମାଗିଛନ୍ତି ଏବଂ ତାଙ୍କ ମାଆ, ସ୍ତ୍ରୀ ଏବଂ ଝିଅଙ୍କୁ "ସାମାଜିକ ଏବଂ ଆର୍ଥିକ" ସାହାଯ୍ୟ କରିବାକୁ କର୍ଣ୍ଣାଟକ ବିଜେପି ୟୁନିଟ୍କୁ ଅନୁରୋଧ କରିଛନ୍ତି।