ଠିକ୍‌ ରୂପେ ବ୍ୟବସାୟ ଚଳାଇ ନ ପାରିବାରୁ ପୁଅ ଦେହରେ ନିଆଁ ଲଗାଇ ଦେଲେ ବାପା

ବେଙ୍ଗାଲୁରୁ: ବ୍ୟବସାୟ ଚଳାଇବା କଥାରେ ଯୁକ୍ତିତର୍କ ହେବାରୁ ନିଜ ପୁଅ ଦେହରେ ନିଆଁ ଲଗାଇ ଦେଇଥିବା ବେଙ୍ଗାଲୁରୁର ଜଣେ ୫୫ ବର୍ଷିୟ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଘଟଣାଟି ଏପ୍ରିଲ୍‌ ୧ ତାରିଖରେ ଚମରାଜପେଟ୍‌ର ବାଲ୍ମୀକି ନଗରରେ ଘଟିଛି। ତିନି ବର୍ଷ ପୂର୍ବେ ପୁଅ ଅର୍ପିତ ସେତିଆ ବାପା ସୁରେନ୍ଦ୍ର କୁମାରଙ୍କ ରଙ୍ଗ ଓ ଫେବ୍ରିକେସନ୍‌ ବ୍ୟବସାୟ ଚଳାଇବା ଦାୟିତ୍ବ ନେଇଥିଲେ। କିନ୍ତୁ, ସେ ଠିକ୍‌ ରୂପେ ବ୍ୟବସାୟ ସମ୍ଭାଳି ପାରି ନ ଥିଲେ।

ମହୀଶୂର ରୋଡ୍‌ରେ ଥିବା କୋଠାରୁ ମିଳୁଥିବା ଭଡ଼ା ବାଦ୍‌ ସେ ୧.୫ କୋଟିରୁ ଅଧିକ ଟଙ୍କା କରଜ କରିଥିଲେ। ପୁଅ ବ୍ୟବସାୟ ବୁଡ଼ାଇ ଦେଉଛି ଭାବି ଚିନ୍ତିତ ସୁରେନ୍ଦ୍ର ହିସାବ ମାଗିଥିଲେ। ପୁଅ ଅର୍ପିତ ମଧ୍ୟ ହିସାବ ଦେଇଥିଲେ। ହିସାବ ଦେଖିବା ପରେ ବାପପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ଦୁହେଁ ଗୋଦାମ ଘରେ ପ୍ରାୟ ୩୦ ମିନିଟ୍‌ ପାଟିତୁଣ୍ଡ କରିଥିବା କଥା ପଡ଼ୋଶୀମାନଙ୍କ ଠାରୁ ପ୍ରକାଶ। ତା’ପରେ କୌଣସି ତରଳ ପଦାର୍ଥରେ ଜୁଡୁବୁଡୁ ହୋଇ ଅର୍ପିତ ଗୋଦାମ ବାହାରକୁ ଆସୁଥିବାର ଦୃଶ୍ୟ ସେ ଅଞ୍ଚଳରେ ଲାଗିଥିବା ‘ସିସିଟିଭି କ୍ୟାମେରା’ରୁ ଜଣାପଡ଼ିଲା। ଅର୍ପିତ ‘ଥିନର୍‌’ରେ ଜୁଡୁବୁଡୁ ହୋଇଥିଲା ବୋଲି ଏକ ଗଣମାଧ୍ୟମ ରିପୋର୍ଟ କରିଛି।

Image Courtesy of The Times of India

‘ସିସିଟିଭି’ ଫୁଟେଜ୍‌ରେ ଆହୁରି ମଧ୍ୟ ଦେଖା ଯାଉଛି ଯେ, ପୁଅ ପଛେ ପଛେ ସୁରେନ୍ଦ୍ର କୁମାର ବାହାରକୁ ଚାଲି ଆସୁଛନ୍ତି। ଅର୍ପିତ ବାପା ସୁରେନ୍ଦ୍ରଙ୍କୁ କାକୁତିମିନତି ହୋଇ କିଛି କହୁଥିଲେ ବି ସେ କିଛି ଶୁଣୁ ନାହାନ୍ତି। ବାପା ଦିଆଶିଲି କାଠି ଜଳାଇବାରୁ ଅର୍ପିତ ବାଧା ଦେବାକୁ ଉଦ୍ୟମ କରୁଛନ୍ତି। ଦିଆଶିଲି କାଠି ମଧ୍ୟ ଲିଭି ଯାଉଛି। କିନ୍ତୁ, ଏଥର ସୁରେନ୍ଦ୍ର ଆଉ ଗୋଟାଏ ଦିଆଶିଲି କାଠି ମାରି ଜଳନ୍ତା କାଠିଟିକୁ ଅର୍ପିତଙ୍କ ଉପରେ ଫିଙ୍ଗି ଦେଉଛନ୍ତି। ତତ୍‌କ୍ଷଣାତ୍‌ ଅର୍ପିତଙ୍କ ଦେହରେ ହୁତହୁତ ହୋଇ ନିଆଁ ଲାଗିଯାଉଛି।

ବାପା ତାଙ୍କ ଦେହରେ ନିଆଁ ଲଗାଇ ଦେଲେ ବୋଲି ଚିତ୍କାର କରି ୨୫ ବର୍ଷିଅ ଅର୍ପିତ ଏଣେତେଣେ ଦୌଡୁଥିବାର ଦୃଶ୍ୟ ମଧ୍ୟ ‘ସିସିଟିଭି’ ଫୁଟେଜ୍‌ରେ ରହିଛି। ସ୍ଥାନୀୟ ଲୋକେ ଅର୍ପିତଙ୍କ ଦେହରୁ ନିଆଁ ଲିଭାଇ ଗୋଟାଏ ଅଟୋରେ ଭିକ୍ଟୋରିଆ ହସ୍ପିଟାଲ୍‌ ନେଇଗଲେ। ତାଙ୍କ ଦେହ ୬୦% ପୋଡ଼ି ଯାଇଥିବା କଥା ସେଠାକାର ଡାକ୍ତରମାନେ କହିଥିଲେ।

କିନ୍ତୁ, ଏପ୍ରିଲ୍‌ ୭ ତାରିଖ ଦିନ ଅର୍ପିତର ପ୍ରାଣବାୟୁ ଉଡ଼ିଗଲା। ପୁଲିସ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରାୟ ବର୍ଷେ ହେବ ବାପପୁଅଙ୍କ ମଧ୍ୟରେ ବିବାଦ ଲାଗିଥିଲା।

୩ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ବେଙ୍ଗାଲୁରୁ ପୁଲିସ ସୁରେନ୍ଦ୍ରଙ୍କ ନାମରେ ନରହତ୍ୟା ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର