ବେଙ୍ଗାଲୁରୁ: ବୁକିଙ୍ଗ୍ କରିଥିବା ଟ୍ୟାକ୍ସି କ୍ୟାନ୍ସଲ୍ କରିବାରୁ ‘ହ୍ବାଟସ୍ଆପ୍’ ନମ୍ବରକୁ ଅସଂଖ୍ୟ ନଗ୍ନ ଫଟୋ ଓ ଭିଡିଓ ଆସୁଛି ବୋଲି ଜଣେ ମହିଳା କରିଥିବା ଅଭିଯୋଗ ଆଧାରରେ ପୁଲିସ ସେ ଡ୍ରାଇଭର୍ଙ୍କୁ ଖୋଜୁଛି ବୋଲି ‘ଟାଇମ୍ସ୍ ଅଫ୍ ଇଣ୍ଡିଆ’ ରିପୋର୍ଟ କରିଛି।
ସ୍କୁଲ୍ରୁ ଝିଅକୁ ନେଇ ଘରକୁ ଫେରିବା ଲାଗି ବେଙ୍ଗାଲୁରୁବାସିନୀ ଉକ୍ତ ୩୨ ବର୍ଷୀୟ ମହିଳା ଏକ ‘ରାଇଡ୍-ସେୟାରିଙ୍ଗ୍ ଆପ୍’ ମାଧ୍ୟମରେ ଉକ୍ତ ଟ୍ୟାକ୍ସି ବୁକ୍ କରିଥିଲେ।
୬ ବର୍ଷୀୟ ଝିଅ ଓ ୯ ମାସର କୋଳଛୁଆ ଥିବା ଉକ୍ତ ମହିଳାଜଣକ କହିଛନ୍ତି, ଝିଅ ଚାଲି ଚାଲି ଯିବାକୁ ରାଜି ନ ହେବାରୁ କ୍ୟାବ୍ ବୁକ୍ କଲି। ବୁକିଙ୍ଗ୍ କରିବାର ୩ ମିନିଟ୍ ପରେ ଝିଅ କାନ୍ଦିଲା। ସେତିକି ବେଳେ ଅଟୋରିକ୍ସାଟିଏ ଦେଖି ମୁଁ କ୍ୟାବ୍ କ୍ୟାନ୍ସଲ୍ କରିଦେଲି। ଅବଶ୍ୟ ସେଥିପାଇଁ ମତେ ୬୦ ଟଙ୍କା ଦେବାକୁ ପଡ଼ିଲା।
କ୍ୟାନ୍ସଲ୍ ପରେ ପରେ ତାଙ୍କର ଅସୁବିଧା ଆରମ୍ଭ ହେଲା ବୋଲି ସେ କହିଛନ୍ତି। ଦିନେଶ ନାମକ ଉକ୍ତ ଡ୍ରାଇଭର୍ ବାରମ୍ବାର କଲ୍ କରି ତାଙ୍କୁ କହିଲେ ଯେ, ଦୀର୍ଘ ୫ କିଲୋମିଟର୍ ଦୂରରୁ କାର୍ ଚଳାଇ ଆସି ତାଙ୍କ ପାଖାପାଖି ପହଞ୍ଚି ସାରିଥିବାରୁ ବୁକିଙ୍ଗ୍ କ୍ୟାନ୍ସଲ୍ କରନ୍ତୁ ନାହିଁ। ଝିଅ କାନ୍ଦୁଥିବାରୁ ସେ ଶୀଘ୍ର ଆସି ପହଞ୍ଚିଯାଆନ୍ତୁ ବୋଲି ମହିଳାଜଣକ କହିଲେ। ଆଉ ୨ ମିନିଟ୍ ସେଠାରେ ଅପେକ୍ଷା କଲେ, କିନ୍ତୁ କ୍ୟାବ୍ ଆସିଲା ନାହିଁ। ତେଣୁ, ସେ ଅଟୋରିକ୍ସାରେ ବସି ଘରକୁ ଫେରିଗଲେ।
କ୍ଷମାପ୍ରାର୍ଥନା ଓ କୈଫିୟତ୍ ସତ୍ତ୍ବେ ଡ୍ରାଇଭର୍ ଦିନେଶ ବାରମ୍ବାର କଲ୍ କରିବା ସହିତ ମେସେଜ୍ ଓ ଅଶ୍ଳୀଳ ଫଟୋ ପଠାଇଥିଲେ। ସେଗୁଡ଼ିକୁ ସେ ସ୍କ୍ରିନ୍ସଟ୍ ମାରି ରଖିଥିଲେ। ଶେଷରେ ମହିଳାଜଣକ ବାଧ୍ୟ ହୋଇ ଅକ୍ଟୋବର ୯ ତାରିଖରେ ଥାନାରେ ଏତଲା ଦେଲେ।