ଆମେରିକାରେ ରହୁଥିବା ସ୍ୱାମୀ ଏସ୍‌ଏମ୍‌ଏସ୍‌ ଜରିଆରେ ବେଙ୍ଗାଲୁରରେ ଥିବା ସ୍ତ୍ରୀଙ୍କୁ ଦେଲେ ‘ତିନ୍‌ ତଲାକ୍‌’, ହସ୍ତକ୍ଷେପ କଲେ ମାନେକା ଗାନ୍ଧୀ

ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ର ସରକାର ଶୁକ୍ରବାର ‘ତିନ୍‌ ତଲାକ’ ବିଲ୍‌ ପାରିତ କରି ‘ତିନ୍‌ ତଲାକ୍‌’ ପରମ୍ପରାକୁ ଏକ ଅପରାଧ ବୋଲି ଘୋଷଣା କରିବାର ପରଦିନ ହିଁ ଦେଖିବାକୁ ମିିଳିଛି ଏକ ଅଶ୍ୱଭନୀୟ ଘଟଣା। ଆମେରିକାରେ ରହୁଥିବା ଜଣେ ସ୍ୱାମୀ ବେଙ୍ଗାଲୁରରେ ଥିବା ତାଙ୍କ ପତ୍ନୀଙ୍କୁ ଏସ୍‌ଏମ୍‌ଏସ୍‌ ଜରିଆରେ ‘ତିନ୍‌ ତଲାକ୍‌’ କହି ଛାଡ଼ପତ୍ର କରିଛନ୍ତି ବୋଲି ଅଭିଯୋଗ ହୋଇଛି। ମହିଳା ଜଣକ ଅଭିଯୋଗ ଆଣି କହିଛନ୍ତି କି ତାଙ୍କ ସ୍ୱାମୀ ତାଙ୍କୁ ତାଙ୍କ ବାପଘରେ ଛାଡ଼ି ଦେଇ ଆମେରିକା ଯିବା ପରେ ସେଠାରେ ରହି ଏସ୍‌ଏମ୍‌ଏସ୍‌ ଜରିଆରେ ତାଙ୍କୁ ଛାଡ଼ପତ୍ର ଦେଇଛନ୍ତି। ମହିଳା ଜଣକ ଗଣମାଧ୍ୟମରେ ଏକଥା ବି ପ୍ରକାଶ କରିଛନ୍ତି ଯେ ସେ ତାଙ୍କ ପିଲାମାନଙ୍କ ସହ ବି ଯୋଗାଯୋଗ କରିବାରୁ ବଞ୍ଚିତ ହୋଇଛନ୍ତି।

ଏହି ମାମଲାରେ ହସ୍ତକ୍ଷେପ କରି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧୀ ଟୁଇଟର୍‌ରେ ପୀଡ଼ିତା ମହିଳାଙ୍କୁ ନ୍ୟାୟ ଦେବେ ବୋଲି କହି ଶାନ୍ତ୍ୱନା ଦେଇଛନ୍ତି। ତାଙ୍କ ମନ୍ତ୍ରାଳୟ ମୁସଲ୍‌ମାନ ମହିଳାମାନଙ୍କ ପାଇଁ ସଦା ଛିଡ଼ା ହୋଇ ରହିବ ବୋଲି ମାନେକା ଆଶ୍ୱସ୍ତ କରିଛନ୍ତି। ଏହି ଘଟଣା ସଂପର୍କରେ ଆହୁରି ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ମନ୍ତ୍ରାଳୟ ମହିଳାଙ୍କ ଭାଇଙ୍କୁ ଭେଟିଥିବା କଥା ସେ କହିଛନ୍ତି।

ସମ୍ବନ୍ଧିତ ଖବର