ବ୍ରହ୍ମପୁର: ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ବ୍ରହ୍ମପୁର: ଆଜି ସକାଳେ ବ୍ରହ୍ମପୁର ପୁଲିସ ଆଉ ଜଣେ ଅପରାଧୀଙ୍କୁ ଏନକାଉଣ୍ଟର କରିଛି। ପୁଲିସ ଏନକାଉଣ୍ଟରରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି, ରାହାଜାନୀ ଆଦି ବିଭିନ୍ନ ଥାନାରେ ଥିବା ୧୫ଟି ମାମଲାରେ ଅଭିଯୁକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ଗୌଡ଼ ଆହତ ହୋଇଛି। ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନୂଆ ବାଇଗଣବାଡ଼ିଠାରେ ହୋଇଥିବା ଏହି ଏନକାଉଣ୍ଟର ସମୟରେ ଇନସ୍‌ପେକ୍ଟର ଶିବଶଙ୍କର ମହାପାତ୍ର, ସବ୍‌ ଇନସପେକ୍ଟର ଗୋବିନ୍ଦଚନ୍ଦ୍ର ମହାପାତ୍ର ଓ ଦୁଇଜଣ କନଷ୍ଟେବଳ ଆହତ ହୋଇଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଥାନାରେ ସନ୍ତୋଷ ଗୌଡ଼ ନାମରେ ବିଭିନ୍ନ ଅପରାଧିକ ମାମଲା ରହିଛି। ଗତକାଲି ନୂଆବାଇଗଣବାଡ଼ି ଠାରେ ସନ୍ତୋଷ ଯାଉଥିବା ବେଳେ ପୁଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ସନ୍ତୋଷ ପ୍ରଥମେ ପୁଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା। ପୁଲିସ ପାଲଟା ଗୁଳି ଚଳାଇବାରୁ ସନ୍ତୋଷର ଦୁଇଟି ଗୋଡ଼ରେ ଦୁଇଟି ଗୁଳି ବାଜିଥିଲା। ଫଳରେ ସେ ପଡ଼ିଯାଇଥିଲା। ପୁଲିସ ସନ୍ତୋଷକୁ କାବୁ କରି ବ୍ରହ୍ମପୁରସ୍ଥିତ ଏମ କେ ସି ଜି ଡାକ୍ତରଖାନାରେ ଭର୍ତ୍ତି କରିଛି। ସନ୍ତୋଷ ଠାରୁ ଗୋଟିଏ ପିସ୍ତଲ, ୩ ରାଉଣ୍ଡ ଗୁଳି, ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି।
ସୂଚନାଯୋଗ୍ୟ ଯେ ଛତ୍ରପୁର ଠାରେ ସାମ୍ବାଦିକ ଓ ତାଙ୍କ ପତ୍ନୀଙ୍କ ହତ୍ୟା ଘଟଣାରେ ସନ୍ତୋଷ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର