ଭିଲୱାରା(ରାଜସ୍ଥାନ): ରାଜସ୍ଥାନର ଭିଲୱାରାରେ ଗଣଦୁଷ୍କର୍ମ ପରେ ୧୨ବର୍ଷର ନାବାଳିକାକୁ କୋଇଲା ଭାଟିରେ ଫିଙ୍ଗିଦିଆଯାଇଥିବା ଖବର କିଛି ଦିନ ତଳେ ଚର୍ଚ୍ଚାର ବିଷୟ ପାଲଟିଥିଲା। ପରିବାର ଲୋକେ ଦୁଷ୍କର୍ମ ହୋଇଥିବା ଦାବି କରିବା ପରେ ତଦନ୍ତ କରୁଥିଲା ପୁଲିସ। ଏବେ ତଦନ୍ତ କରି ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ୪ଜଣକ ମଧ୍ୟରୁ ୨ଜଣ ନାବାଳିକା ସହ ଦୁଷ୍କର୍ମ କରିଥିବା ସ୍ବୀକାର କରିଥିବା ବେଳେ ଅନ୍ୟ ୨ଜଣ ମୃତଦେହକୁ ନଷ୍ଟ କରିବାରେ ସାହାଯ୍ୟ କରିଥିଲେ ବୋଲି ସାମ୍ନାକୁ ଆସିଛି। ଗଣଦୁଷ୍କର୍ମ କରିଥିବା ଅଭିଯୁକ୍ତମାନେ କାହ୍ନା ଓ କାଳୁ ବୋଲି ଚିହ୍ନଟ କରାଯାଇଛି।

Advertisment

ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା ନାବାଳିକାକୁ କୋଇଲା ଭାଟିରେ ଫିଙ୍ଗିବା ଓ ପୀଡ଼ିତାଙ୍କ ଶରୀରର କିଛି ଅଂଶକୁ ପୋଖରୀରେ ଫିଙ୍ଗିବାରେ ଅଭିଯୁକ୍ତଙ୍କ ପତ୍ନୀମାନେ ମଧ୍ୟ ସାହାଯ୍ୟ କରିଥିବା ସାମ୍ନାକୁ ଆସିଛି। ପୁଲିସ ଦେଇଥିବା ସୂଚନା ମୁତାବକ, ନାବାଳିକାଜଣକ ବୁଧବାର ଅପରାହ୍ନରେ ଛେଳି ଚରାଇବା ପାଇଁ ଗାଁର ଏକ କ୍ଷେତକୁ ଯାଇଥିଲେ। ଏହି ସମୟରେ କାହ୍ନା ଓ କାଳୁ ଅନ୍ୟ ୨ଜଣଙ୍କ ସହ ମିଶି ପୀଡ଼ିତାଙ୍କୁ ଟେକି ନେଇଥିଲେ। ଜନଶୂନ୍ୟ ସ୍ଥାନକୁ ନେଇ କାହ୍ନା ଓ କାଳୁ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିବା ବେଳେ ପରେ ତାଙ୍କ ମୁଣ୍ଡକୁ ପିଟି ଅଚେତ କରିଥିଲେ। ଗାଁ ଲୋକେ ଜାଣିଯିବା ଡରରେ ପ୍ରମାଣ ନଷ୍ଟ କରିବା ପାଇଁ ୪ଜଣ ପୀଡ଼ିତାଙ୍କୁ ପାଖ କୋଇଲା ଭାଟିକୁ ନେଇ ଜାଳି ଦେଇଥିଲେ।

ପୁଲିସ ଆହୁରି କହିଛି ଯେ, ପୀଡ଼ିତାଙ୍କୁ କୋଇଲା ଭାଟିରେ ଫିଙ୍ଗି ଚାଲି ଆସିଥିଲେ ବି ପୀଡ଼ିତା ସମ୍ପୂର୍ଣ୍ଣ ଜଳିଲେ କି ନାହିଁ ତାହା ଦେଖିବାକୁ ପୁଣି ଭାଟିକୁ ଯାଇଥିଲେ ଅଭିଯୁକ୍ତ। ସେଠାକୁ ଯିବା ପରେ ପୀଡ଼ିତାଙ୍କ ଶରୀରର କିଛି ଅଂଶ ପୋଡ଼ି ନଥିବା ଦେଖି ତାକୁ ଏକ ପଲିଥିନରେ ଭର୍ତ୍ତି କରି ପୋଖରୀରେ ଫିଙ୍ଗିଥିଲେ ଅଭିଯୁକ୍ତଙ୍କ ପତ୍ନୀ।

ଏବେ ପୁଲିସ ୪ଜଣଙ୍କୁ ଗିରଫ କରିଥିବା ବେଳେ ଆଗକୁ ଏହି ଘଟଣାରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ବି ଗିରଫ କରିବ ବୋଲି କହିଛି।