ନୂଆଦିଲ୍ଲୀ: ହରିୟାଣାର ଭିବାନୀରେ ଥିବା ଏକ ସରକାରୀ ବିଦ୍ୟାଳୟର ପିଲାମାନେ ବିପଜ୍ଜନକ କାମ କରିଥିବା ଘଟଣା ସାମ୍ନାକୁ ଆସିଛି। ସୌଭାଗ୍ୟବଶତଃ ଏଥିରେ କାହାକୁ କିଛି କ୍ଷତି ପହଞ୍ଚି ନାହିଁ। ଶିକ୍ଷା ବିଭାଗ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଛାତ୍ରମାନଙ୍କୁ ସ୍କୁଲରୁ ବହିଷ୍କାର କରିଛି।

Advertisment

ସୂଚନାଯୋଗ୍ୟ, ହରିୟାଣାର ଭିବାନୀ ଜିଲ୍ଲାର ବୋପାଡା ଗାଁରେ ଗତ ଶନିବାର ଦ୍ୱାଦଶ ଶ୍ରେଣୀର ପିଲାମାନେ ବିଜ୍ଞାନ ଶିକ୍ଷୟିତ୍ରୀଙ୍କ ଚୌକି ତଳେ ଏକ ବୋମା ରଖି ବିସ୍ଫୋରଣ କରିଥିଲେ।  ଏହି ବିସ୍ଫୋରଣରେ ସୌଭାଗ୍ୟବଶତଃ ଶିକ୍ଷୟିତ୍ରୀ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।  

ଅଭିଯୋଗ ହୋଇଛି ଯେ ଜଣେ ପିଲା ଶିକ୍ଷୟିତ୍ରୀ ବସିଥିବା ଚୌକି ତଳେ ଏକ ବୋମା ରଖିଥିଲା। ଏହାପରେ ଅନ୍ୟ ଜଣେ ଛାତ୍ର ରିମୋଟ୍ ବଟନ୍ ଦବାଇ ଏହାକୁ ବିସ୍ଫୋରଣ କରିଥିଲା। ଏହି ଘଟଣାପରେ ସ୍କୁଲରେ ଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ‌ଖେଳି ଯାଇଛି। 

ଶିକ୍ଷୟିତ୍ରୀଙ୍କ ଚୌକି ତଳେ ବୋମା ବିସ୍ଫୋରଣ ଘଟଣା ସାମ୍ନାକୁ ଆସିବା ପରେ ତୁରନ୍ତ ଏ ସମ୍ପର୍କରେ ଶିକ୍ଷା ବିଭାଗର ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ଗତବୁଧବାର ଦିନ ଶିକ୍ଷା ବିଭାଗର ଏକ ସ୍ବତନ୍ତ୍ର ଦଳ ବିଦ୍ୟାଳୟରେ ପହଞ୍ଚି ଅଭିଯୁକ୍ତ ଛାତ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସ୍କୁଲରୁ ବହିଷ୍କାର କରି ଦେଇଛନ୍ତି। 

ଜିଲ୍ଲା ଶିକ୍ଷା ଅଧିକାରୀ ନରେଶ ମହତା କହିଛନ୍ତି, ‘ଅଭିଯୁକ୍ତ ଛାତ୍ର ୟୁଟ୍ୟୁବର ଦେଖି ଏହି ବୋମା ତିଆରି କରିଥିଲା। ଏହି ଘଟଣାରେ ୧୩ଜଣ ପିଲା ସାମିଲ ଥିଲେ। ୟୁଟ୍ୟୁବର ଦେଖି ବୋମା ତିଆରି କରିଥିବା ଛାତ୍ର ଜଣକ ଶିକ୍ଷୟିତ୍ରୀଙ୍କ ଚୌକି ତଳେ ରଖି ବିସ୍ଫୋରଣ କରିବା ଅପେକ୍ଷା ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଯଦି ଉକ୍ତ ବୋମାର ମଡେଲ ଦେଖାଇ ଥାଆନ୍ତା ତେବେ ଆମେ ତାକୁ ସମ୍ମାନୀତ କରିଥାଆନ୍ତୁ। କିନ୍ତୁ ଛାତ୍ର ଜଣକ ସ୍କୁଲରେ ଏମିତି ବିସ୍ଫୋରଣ ଘଟାଇବ ତାହା ଆଦୌ ଗ୍ରହଣୀୟ ନୁହେଁ। ଏହି ଘଟଣାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆଗାମୀ ଦିନରେ ଅନ୍ୟ ପିଲାମାନେ ବି ଏମିତି ଘଟଣା ଘଟଣାଇ ପାରନ୍ତି।’