ରୋହତକ୍: ଦୁଇ ଲକ୍ଷ ଟଙ୍କା ବିନିମୟରେ ଓଡ଼ିଶାରୁ ଜଣେ ନାବାଳିକା କନ୍ୟା କିଣି ତାଙ୍କୁ ଦୁଇମାସ ଧରି ବନ୍ଦିନୀ ରଖିଥିବା କାରଣରୁ ଭିଓ୍ଵାନିର ଜଣେ ବ୍ୟକ୍ତି ଏବଂ ତାଙ୍କ ମାଆଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।
ଝିଅଟି ଖସି ପଳାଇବାକୁ ଉଦ୍ୟମ କରି ସେ ଲୋକଙ୍କର ଦୁଇ ମହଲା କୋଠରୁ ଡେଇଁବା ବେଳେ ଆହତ ହେବାରୁ କଥା ଲୋକଲୋଚନକୁ ଆସିଛି। ତାକୁ ଜଣେ ପଡ଼ୋଶୀ ଦେଖି ପୁଲିସକୁ ଖବର ଦେଇଥିଲେ।
ଭିଓ୍ଵାନି ମହିଳା ଥାନାର ଏସ୍ଏଚ୍ଓ ନହ୍ନି ଦେବୀ କହନ୍ତି, ଜଣେ ସମ୍ପର୍କୀୟଙ୍କୁ ଭେଟିବା ବାହାନାରେ ତାଙ୍କ ବଡ଼ ବାପା ତାକୁ ହରିୟାଣା ଆଣି ୨ ଲକ୍ଷ ଟଙ୍କା ବିନିମୟରେ ଅଭିଯୁକ୍ତ ସନ୍ଦୀପ ଏବଂ ତାଙ୍କ ମାଆ ଶକୁନ୍ତଳା ଦେବୀଙ୍କୁ ବିକି ଦେଇଥିଲେ। ପରେ ଅଭିଯୁକ୍ତ ଏକ ସ୍ଥାନୀୟ ମନ୍ଦିରରେ ତାଙ୍କୁ ଜବରଦସ୍ତି ବାହା ହୋଇ ଗୋଟିଏ ଘରେ ବନ୍ଦ କରି ରଖିଥିଲେ। ଗତ ଦୁଇ ମାସ ହେବ ଅଭିଯୁକ୍ତ ତାଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିବା କଥା ପୀଡ଼ିତା କହୁଛନ୍ତି।
ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ସନ୍ଦୀପ ଏବଂ ତାଙ୍କ ମାଆଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ୍, ପୋକ୍ସୋ ଏବଂ ପ୍ରୋହିବିସନ୍ ଅଫ୍ ଚାଇଲ୍ଡ୍ ମ୍ୟାରେଜ୍ ଆକ୍ଟ୍ ବଳରେ ବୁକ୍ ମଧ୍ୟ କରାଯାଇଛି।
ତାକୁ ବିକ୍ରୟ କରିଥିବା ତାଙ୍କ ବଡ଼ବାପାଙ୍କୁ ଗିରଫ କରିବାକୁ ପୁଲିସ ତଲାସ ଆରମ୍ଭ କରିଛି।
ଆହତ ପୀଡ଼ିତାଙ୍କର ଚିକିତ୍ସା କରାଯିବା ସହ ଅଧିକ ସୂଚନା ପାଇବାକୁ ତାଙ୍କୁ କାଉନ୍ସେଲିଙ୍ଗ୍ ମଧ୍ୟ ଦିଆଯାଉଛି।