ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ପଞ୍ଚତାରକା ହୋଟେଲ ମାଲିକ ନିଜକୁ ଗୁଳି କରି ଜୀବନ ହାରି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ମାଲିକଙ୍କ ମୃତଦେହକୁ ତାଙ୍କ ଗାଧୁଆଘରୁ ଉଦ୍ଧାର କରାଯାଇଥିଲା। ମୃତ ହୋଟେଲ ମାଲିକଙ୍କ ନାମ ନାଦିର ରସିଦ ଓ ବୟସ ୭୧ବର୍ଷ ବୋଲି ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, ନାଦିର ରସିଦ ଭୋପାଳର ଜଣାଶୁଣା ନାମ। ନାଦିର ଜଣେ ପଞ୍ଚତାରକା ହୋଟେଲ ମାଲିକ ଥିବା ସହିତ ଜଣେ ଭଲ ମଣିଷ ବି ଥିଲେ। ତେବେ ସେ ‌ହଠାତ ଏମିତି ଏକ ପଦକ୍ଷେପ ନେଇଯିବେ ବୋଲି କେହି ଚିନ୍ତା ବି କରି ନଥିଲେ। ନାଦିର ଗାଧେଇବାକୁ ଯାଇ ଆଉ ବାହାରି ନଥିଲେ। ପରିବାରଲୋକ ଗାଧୁଆଘର କବାଟ ବାଡ଼େଇ ଥିଲେ ହେଁ ସେପଟୁ ନାଦିରଙ୍କ କୌଣସି ପ୍ରତିକ୍ରିୟା ଆସି ନଥିଲା। ସନ୍ଦେହ ହେବାରୁ କବାଟ ଭାଙ୍ଗି ଦିଆଯାଇଥିଲା।

କବାଟ ଭାଙ୍ଗିବା ପରେ ନାଦିରଙ୍କ ରକ୍ତଜଡ଼ୁବୁଡ଼ୁ ଶରୀର ଗାଧୁଆଘରେ ପଡ଼ିଥିବା ପରିବାରଲୋକ ଦେଖିବ‌ାକୁ ପାଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ‌ହେଲେ ଡାକ୍ତର ହୋଟେଲ ମାଲିକଙ୍କୁ ମୃତ ଘୋ‌ଷଣା କରିଥି‌ଲେ। ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ହସ୍ପିଟାଲରେ ପହଞ୍ଚି ନାଦିରଙ୍କ ମରଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ନାଦିର ଅନେକ ଦିନ ହେବ ରୋଗଗ୍ରସ୍ତ ଥିଲେ। ତେଣୁ ସେ ଚିନ୍ତାରେ ରହୁଥିଲେ। ଯେଉଁ କାରଣରୁ ସେ ଜୀବନ ହାରିଦେଇଛନ୍ତି।  ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡ଼ି ନଥିଲା। ତେବେ ନାଦିରଙ୍କ ମୃତ୍ୟୁପରେ ସ୍ତ୍ରୀ ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।