ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ରାଲିରୁ ପୁରୀ ରଥଯାତ୍ରା; ମୁମ୍ବାଇର ଜଷ୍ଟିନ୍ ବିବର୍ କନ୍ସର୍ଟରୁ ଗ୍ରେଟର୍ ନୋଏଡ଼ାର ଅଟୋ ଏକ୍ସ୍ପୋ-- ଦେଶର କୌଣସି ବଡ଼ ଜନଗହଳି ଭରା କାର୍ଯ୍ୟକ୍ରମକୁ ଏଇ ଛଅ ଜଣିଆ ଲୋକଙ୍କ ଦଳ ହାତଛଡ଼ା କରିବାକୁ ଚାହାଁନ୍ତି ନାହିଁ। ଜନଗହଳିରେ ପଶିବା ପଛରେ ଅବଶ୍ୟ ଏମାନଙ୍କର ମନ୍ଦ ଉଦ୍ଦେଶ୍ୟ ରହିଥାଏ। ତାହା ହେଉଛି- ମନିପର୍ସ, ସ୍ମାର୍ଟଫୋନ୍ ଏବଂ ଦାମିକା ଜିନିଷପତ୍ର ଚୋରାଇ ନେବ।
ଉତ୍ତରପୂର୍ବ ଦିଲ୍ଲୀର ଜଣେ ଅପରାଧିକ ରେକର୍ଡ ଥିବା ବ୍ୟକ୍ତିଙ୍କ ନେତୃତ୍ୱରେ ଏହି ଦଳ ବଡ଼ ଥାଟରେ ଭ୍ରମଣ କରନ୍ତି। ସେମାନେ ଗନ୍ତବ୍ୟସ୍ଥଳକୁ ବିମାନ ଯୋଗେ ଯାଆନ୍ତି। ଫେରିବା ବେଳେ ଚୋରି ସାମଗ୍ରୀ ଆଣିବାକୁ ସୁବିଧା ହେବ ବୋଲି ପ୍ରଥମ ଶ୍ରେଣୀ ରେଳ କମ୍ପର୍ଟମେଣ୍ଟ୍ରେ ଆସନ୍ତି।
ସେମାନେ ପୁରୀ ରଥଯାତ୍ରାରୁ ଫେରିବା ବେଳେ ଦଳର ମୁଖ୍ୟ ୩୮ ବର୍ଷିୟ ଅସ୍ଲମ୍ ଖାଁ ଏବଂ ତାଙ୍କର ସହଯୋଗୀ ୨୩ ବର୍ଷିୟ ମୁକେଶ କୁମାରଙ୍କୁ ପୁଲିସ ଧରିବା ପରେ କଥା ଲୋକଲୋଚନକୁ ଆସିଲା।
ଉତ୍ତରପୂର୍ବ ଡିସିପି ଅତୁଲ ଠାକୁର କହନ୍ତି, ଚୋରି ଫୋନ୍ ବିକ୍ରୟ କରିବାକୁ ସେମାନେ ପୂର୍ବ ଦିଲ୍ଲୀର ମୌଜପୁରକୁ ଆସୁଛନ୍ତି ବୋଲି ସୂଚନା ପାଇବା ପରେ ପୁଲିସ କୌଶଳ କରି ଦୁହିଁଙ୍କୁ ଧରିଥିଲେ। ପୁଲିସ ସେମାନଙ୍କ ଠାରୁ ୪୬ଟି ଅତି ଦାମିକା ସ୍ମାର୍ଟଫୋନ୍ ଛଡ଼ା ଗୋଟିଏ ପିସ୍ତଲ ଏବଂ ଖୋକା ଉଦ୍ଧାର କରିଥିଲା।
ଅସ୍ଲମ୍ ଟେଲିଭିଜନ୍ରେ କନ୍ସର୍ଟ ଦେଖି ସେ ବଡ଼ ବଡ଼ କାର୍ଯ୍ୟକ୍ରମରୁ ଚୋରି କରିବାକୁ ବୁଦ୍ଧି ପାଇଥିଲା। ସେଠାରେ ବହୁ ସଂଖ୍ୟକ ଲୋକ ଅତି ଦାମିକା ସ୍ମାର୍ଟଫୋନ୍ ଦେଖାଉଥାଆନ୍ତି। ପୁଲିସ କହୁଛି ଅସଲମ୍ ଏଯାବତ୍ ୫୦୦୦ ଫୋନ୍ ଚୋରାଇଲାଣି।
୧୯୯୫ ମସିହାରୁ ଡିଟିସି ବସ୍ ଏବଂ ଗହଳିଆ ବଜାରରେ ଛୋଟକାଟିଆ ଚୋରି କରିଥିବାର ଇତିହାସ ରହିଛି ଅସ୍ଲମ୍ର। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ଆୟୋଜନ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ରାଜନୈତିକ ରାଲି ନିମନ୍ତେ ସେ କିଶୋରମାନଙ୍କୁ ଚୋରିଚପାଟି କରିବାର ତାଲିମ ଦେଉଥିଲେ। କିନ୍ତୁ ଆଇନ କଠୋର ହେବାରୁ ସେ ସେ ଉପାୟ ଛାଡ଼ିଦେଲେ।
ଦେଶ ବ୍ୟାପୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଅସ୍ଲମ୍ ମାସିକ ୪୦ ହଜାର ଟଙ୍କା ଦରମାରେ ୫ ଜଣ କୁଖ୍ୟାତ ପକେଟ୍ମାର୍ଙ୍କୁ ନେଇ ଗୋଟାଏ ଦଳ ଗଢ଼ିଲେ। ଖବରକାଗଜ ଓ ମୋବାଇଲ୍ ଆପ୍ସ୍ ଜିରିଆରେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ଅନୁଷ୍ଠାନର ସଦ୍ୟତମ ଖବର ରଖୁଥିଲେ ସେମାନେ।
ସେମାନେ ବ୍ୟୟବହୁଳ କନ୍ସର୍ଟ ପାଇଁ ଟିକିଟ୍, ଫ୍ଲାଇଟ୍ ବୁକିଂ ଏବଂ ହୋଟେଲ୍ ସଂରକ୍ଷଣ ଆଦି କରୁଥିଲେ।
ଜମସମାବେଶକୁ ସୁହାଇଲା ଭଳି ବିଭିନ୍ନ ପୋଷାକ ପିନ୍ଧୁଥିଲେ ସେମାନେ। ଅତି ସତର୍କତାର ସହ ଶିକାର ଉପରେ ଆକ୍ରମଣ କରୁଥିଲେ।
ଜଣେ ଅଧିକାରୀ କହନ୍ତି: ସେମାନେ ସ୍ଥିର କରିଥିବା ବ୍ୟକ୍ତିବିଶେଷଙ୍କ ପକେଟରୁ ଚୁପ୍ କିନି ମୋବାଇଲ୍ ଫୋନ୍ ଓ ପର୍ସ ଟାଣି ନେଇଯାଉଥିଲେ। କୌଣସି ବିଶାଳ ଜନସମାବେଶରୁ ସେମାନେ ୫୦-୬୦ଟି ମୋବାଇଲ୍ ଫୋନ୍ ଓ ପର୍ସ ଚୋରାଇ ନେଇଛନ୍ତି।
ମୋବାଇଲ୍ ଫୋନ୍ଗୁଡ଼ିକୁ ସେମାନେ ମୋବାଇଲ୍ କମ୍ପାନିରେ କାମ କରୁଥିବା ଲୋକଙ୍କୁ ବିକ୍ରି କରି ଦିଅନ୍ତି। ସେମାନେ ତାକୁ ଖୋଲି ପାର୍ଟ ଭାବରେ ବିକ୍ରୟ କରି ଦିଅନ୍ତି। ପୁଲିସ କବଳରୁ ବର୍ତ୍ତିବାକୁ ସେମାନେ ଏମିତି କରୁଥିଲେ।
ଅସ୍ଲମ୍ ବିବାହିତ କିନ୍ତୁ, ନିଜର ବୃତ୍ତି ପ୍ରସଙ୍ଗରେ ପତ୍ନୀ ଓ ପିଲାଙ୍କୁ କିଛି କହି ନାହିଁ। ଅପରାଧ କରିବାକୁ ଗଲେ ବାଣିଜ୍ୟ କାମରେ କି, ତୀର୍ଥାଟନରେ ଯାଉଛି ବୋଲି ଘରେ ସେ କହିଥାଏ। ଏକ ଘରୋଇ ସ୍କୁଲ୍ରେ ତାଙ୍କର ଦୁଇଟି ପିଲା ପଢ଼ନ୍ତି।