ନାବାଳକକୁ ଜୋତା ଚଟାଇଲେ ଏଡିଏମ୍‌, ନୀରବଦ୍ରଷ୍ଟା ସାଜି ନିଳମ୍ବିତ ହେଲେ ପୁଲିସ କର୍ମଚାରୀ

ପାଟନା : ବିହାରରେ ସାମାନ୍ୟ ଭୁଲ ପାଇଁ ଜଣେ ନାବଳକକୁ ଜୋତା ଚାଟିବା ପାଇଁ ବାଧ୍ୟ କରିଛି ପୁଲିସ । ସାମାନ୍ୟ ଦୁର୍ଘଟଣା ଲାଗି ଜନୈକ ଜିଲ୍ଲା ପ୍ରଶାସନ ଅଧିକାରୀ ନାବାଳକ ଉପରେ ଏତେ କ୍ରୋଧୀତ ହୋଇଥିଲେ କି ନାବାଳକ ତାଙ୍କ ପାଦ ଚାଟିବା ପାଇଁ ବାଧ୍ୟ ହୋଇଥିଲା । ଏହା ପରେ ମଧ୍ୟ ପୁଲିସ କର୍ମଚାରୀମାନେ ନାବାଳକକୁ ଜାମିନ ନ ଦେଇ ହାଜତକୁ ପଠାଇ ଦେଇଥିଲେ । ଏହି ଘଟଣା ସମ୍ନାକୁ ଆସିବା ପରେ ଏସ୍‌ଏସ୍‌ପି ମନୁ ମହାରାଜ ଏହାକୁ ଗମ୍ଭୀରତାର ସହ ନେଇ ଦୋଷୀ ପୁଲିସ କର୍ମଚାରୀଙ୍କୁ ନିଳମ୍ବିତ କରିଥିଲେ ।

ଏହି ଘଟଣା ଘଟିଥିଲା ପାଟନାର କଦମ୍‌ ଅଞ୍ଚଳରେ । ସୂଚନା ଅନୁଯାୟୀ, ନାବଳକ ସ୍କୁଟର ଚଳାଇ ଯାଉଥିବା ବେଳେ ଭୁଲବଶତଃ ସ୍ଥାନୀୟ ଏଡ଼ିଏମ୍‌ ବୀରେନ୍ଦ୍ର କୁମାର ପାଶ୍ୱାନଙ୍କୁ ଧକ୍କା ଦେଇଥିଲା। ଫଳରେ ଏଡ଼ିଏମ୍‌ଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିଲା । ଏଥିରେ ରାଗିଯାଇ ଏଡ଼ିଏମ୍‌ ନାବାଳକଙ୍କ ସ୍କୁଟରକୁ ଛଡ଼ାଇ ରଖିବା ସହ ତାଙ୍କୁ ଏବଂ ତାଙ୍କର ସାଙ୍ଗମାନଙ୍କୁ ବହୁତ ମାରିଥିଲେ । ଏହାପରେ ନାବାଳକ ଜଣକ ଡରିଯାଇ ଏଡିଏମ୍‌ଙ୍କ ଗୋଡ଼ ଧରି କ୍ଷମା ମାଗିଥିଲେ। କେବଳ ସେତିକି ନୁହେଁ, ସେଏଡିଏମ୍‌ଙ୍କୁ ତୁଷ୍ଟ କରିବା ଲାଗି ତାଙ୍କର ଜୋତା ମଧ୍ୟ ଚାଟିଥିଲେ। ଏତେ ସବୁ ପରେ ବି ଏଡ଼ିଏମ୍‌ ଜଣଙ୍କ ନାବାଳକଙ୍କୁ ଟ୍ରାଫିକ୍‌ ପୁଲିସକୁ ହସ୍ତାନ୍ତର କରିଥିଲେ ।

ଘଟଣା ବିଷୟରେ ନାବାଳକଙ୍କ ପରିବାର ଲୋକ ଜାଣିବା ପରେ ପୁଲିସ ଷ୍ଟେସନରେ ପହଞ୍ଚି ତାଙ୍କ ପୁଅକୁ ଛାଡ଼ିଦେବା ପାଇଁ ନେହୁରା ହୋଇଥିଲେ । କିନ୍ତୁ ଏଡ଼ିଏମ୍‌ଙ୍କ କଥା ରଖିବାକୁ ଯାଇ ସେମାନେ ନାବାଳକକୁ ଛାଡ଼ି ନ ଥିଲେ । ଏ ନେଇ କିଶୋରଙ୍କ ମା’ ଏଡ଼ିଏମ୍‌ଙ୍କୁ କ୍ଷମା ମାଗିଥିଲେ ମଧ୍ୟ ସେ ତାଙ୍କ କଥା ନ ଶୁଣି ଟ୍ରାଫିକ୍‌ ପୁଲିସଙ୍କୁ ଏତଲା ଲେଖିବା ପାଇଁ ବାଧ୍ୟ କରିଥିଲେ । ଏଡ଼ିଏମ୍‌ ଅଧିକ ଚାପ ପକାଇବାରୁ ଟ୍ରାଫିକ୍‌ ପୁଲିସ ଏତଲା ଲେଖିଥିଲେ । ଏହା ସହ କିଶୋରଙ୍କ ପରିବାର ଲୋକମାନେ ଜରିମାନା ଦେବା ପାଇଁ ମଧ୍ୟ ରାଜିଥିଲେ । ତଥାପି ଏଡ଼ିଏମ୍‌ ନିଜର ରାଗ ଶାନ୍ତ କରିବା ପାଇଁ କିଶୋରଙ୍କୁ ରିମାଣ୍ଡ ହୋମକୁ ପଠାଇଥିଲେ ।

oneindia

ଅନ୍ୟ କିଛି ବାଟ ନ ପାଇ କିଶୋରଙ୍କ ପରିବାର ଲୋକେ ଏସ୍‌ଏସ୍‌ପିଙ୍କୁ ଦେଖା କରି ପୂରା ଘଟଣା ସମ୍ପର୍କରେ ଜଣାଇଥିଲେ । ଏହି ଘଟଣାରେ କିଛି ସତ୍ୟାସତ୍ୟ ଅଛି କି ନାହିଁ ଜାଣିବା ପାଇଁ ଏସ୍‌ଏସ୍‌ପି ଏହାର ତଦନ୍ତ ଆରମ୍ଭ କରିଥିଲେ । ଏ ନେଇ ଟ୍ରାଫିକ୍‌ ପୁଲିସଙ୍କୁ ପଚରାଉଚରା କରାଯିବାରୁ ସେ ଠିକ୍‌ ଭାବରେ ଏହାର ଉତ୍ତର ଦେଇ ନ ପାରିବା ସହ ନିଜର ଦୋଷ ସ୍ୱୀକାର କରିଥିଲେ । ଅଭିଯୋଗ ସତ୍ୟ ସାବ୍ୟସ୍ତ ହେବା ପରେ ଟ୍ରାଫିକ୍‌ ପୁଲିସଙ୍କୁ ନିଳମ୍ବିତ କରାଯାଇଛି । ଅନ୍ୟ ପକ୍ଷରେ ଏଡ଼ିଏମ୍‌ ଲଗାଇଥିବା ଆରୋପ ଯଦି ଭୁଲ ପ୍ରମାଣିତ ହୁଏ ତେବେ ତାଙ୍କ ବିରୁଦ୍ଧରେ ଧାରା ୧୮୨ ଏବଂ ୨୧୧ ଅନୁଯାୟୀ ମାମାଲା ରୁଜୁ କରାଯିବ ବୋଲି ଏସ୍‌ଏସ୍‌ପି ମନୁ ମହାରାଜ କହିଛନ୍ତି ।

ସମ୍ବନ୍ଧିତ ଖବର