ନୂଆଦିଲ୍ଲୀ:ପରୀକ୍ଷା ଋତୁ ଚାଲିଛି। ବୋର୍ଡ ପରୀକ୍ଷାରେ ଭଲ ନମ୍ବର ପାଇବା ପାଇଁ ପିଲା ଅକ୍ଳାନ୍ତ ପରିଶ୍ରମ ବି କରୁଛନ୍ତି। ଏହି କ୍ରମରେ ପରୀକ୍ଷା ଖାତାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ବିହାର ବୋର୍ଡ ପରୀକ୍ଷାର ଉତ୍ତରଖାତା ଦେଖା ଶେଷ ହୋଇଛି। ବିହାର ଜମୁଇର ଦୁଇଟି କେନ୍ଦ୍ରରେ ଇଣ୍ଟର ପରୀକ୍ଷାର ମୂଲ୍ୟାୟନ କରାଯାଇଥିଲା। ଏହି ଖାତା ଦେଖା ସମୟରେ କିଛି ପିଲାଙ୍କ ଉତ୍ତର ଖାତା ଦେଖି ଶିକ୍ଷକ ଓ ଶିକ୍ଷୟିତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପିଲାଙ୍କ ଉତ୍ତର ଖାତାର ଫଟୋ ଉଠାଇ ରଖିଥିଲେ। ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ହୋଇଥିବା ଦୁଇଟି ଉତ୍ତର ଖାତା ମଧ୍ୟରୁ ଗୋଟିଏରେ ଲେଖା ଅଛି, ‘ମୁଁ ଜାଣିଛି ଆପଣମାନେ ମୋର କଥାକୁ ବିଶ୍ବାସ କରିବେ ନାହିଁ। ସାର ଜାଣିଛନ୍ତି ମୋ ମା’ଙ୍କ ମୃତ୍ୟୁ ହୋଇଯାଇଛି। ସେ ଆଉ ଆମ ପାଖରେ ନାହାନ୍ତି। ତାଙ୍କର ମୃତ୍ୟୁକୁ ୧୦ଦିନ ହେବ। ବାପାଙ୍କୁ ହରାଇ ମୁଁ ଦୁଃଖରେ ଭାଙ୍ଗି ପଡ଼ିଛି। ପାଠପଢ଼ି ପାରିନାହିଁ। ଦୟାକରି ମୋତେ ପାସ କରି ଦିଅନ୍ତି। ମୋ ପରିସ୍ଥିତି ବୁଝିବା ପାଇଁ ଚେଷ୍ଟା କରନ୍ତୁ।’
ସେହିପରି ଆଉଜଣେ ପରୀକ୍ଷାର୍ଥୀ ବୋର୍ଡ ପରୀକ୍ଷା ଉତ୍ତର ଖାତାରେ ଲେଖିଛନ୍ତି, ‘ଆମେ ସମସ୍ତେ ଜାଣିଛେ ପ୍ରେମ ସହଜରେ ହୋଇ ନଥାଏ। ଆଉ ଯେତେବେଳେ ହୁଏ ଜବରଦସ୍ତି ହୋଇଥାଏ। ମୋତେ ଏଥର ଭଲ ନମ୍ବର ଦେଇ ଦିଅନ୍ତୁ। ମୁଁ କଥା ଦେଉଛି। ଆଗକୁ ମନ ଦେଇ ପାଠପଢ଼ିବି।’