ପାଟନା: ବିହାରରେ ଅପରାଧୀମାନେ ପୁଣି ଥରେ ନିର୍ଭୟ ହୋଇ ଅପରାଧ କରିବା ଆରମ୍ଭ କରିଛନ୍ତି। ପ୍ରତିଦିନ ରାଜ୍ୟର ବିଭିନ୍ନ କୋଣରୁ ଅପରାଧିକ ଘଟଣା ସାମ୍ନାକୁ ଆସୁଛି। ଏବେ ବିହାରର ମୁଜାଫରପୁରରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡ଼ିଛି। ଚିକିତ୍ସା ପରେ ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଅପରାଧୀମାନେ ଗୁଳି କରି ହତ୍ୟା କରିଛନ୍ତି। ହତ୍ୟାକାଣ୍ଡର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହେବା ପରେ ଏବେ ତାହା ଭାଇରାଲ ହେଉଛି। ମୃତକଙ୍କ ନାମ ସାଜିଦା ଆମରିନ ବୋଲି ଜଣାପଡ଼ିଛି।

Advertisment

ସୂଚନାନୁସାରେ, ମଙ୍ଗଳବାର ରାତିରେ ମୁଜାଫରପୁରରେ ଫିଜିଓଥେରାପିଷ୍ଟଙ୍କୁ ଦେଖାଇବା ପରେ ଘରକୁ ଫେରୁଥିଲେ ସାଜିଦା ଆମରିନ।  ତାଙ୍କ ଘରଠାରୁ ଅଳ୍ପ ଦୂରରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ପଛପଟୁ ଆସି ଜଣେ ଅଭିଯୁକ୍ତ ତାଙ୍କ ମୁଣ୍ଡକୁ ଗୁଳି ମାରିଥିଲେ। ଏହା ପରେ ସାଜିଦା ତଳେ ପଡ଼ିଯାଇଥିବା ସହ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସାଜିଦା ମରିଯାଇଥିବା ଜାଣିବା ପରେ ଅଭିଯୁକ୍ତ ନିଜ ସାଥୀଙ୍କ ସହ ସେଠାରୁ ଫେରାର ହୋଇଯାଉଥିବା ସିସିଟିଭି ଭିଡିଓରେ ଦେଖିବାକୁ ମିଳିଛି। ସାଜିଦାଙ୍କ ସ୍ବାମୀ ଦୁବାଇରେ ରହୁଥିବା ବେଳେ ସେ ଏଠାରେ ନିଜ ଶାଶୁଙ୍କ ସହ ରହୁଥିଲେ। ଅଣ୍ଟାରେ ଯନ୍ତ୍ରଣା ଥିବାରୁ ସେ ପ୍ରତିଦିନ ସନ୍ଧ୍ୟାରେ ଫିଜିଓଥେରାପିଷ୍ଟଙ୍କ ପାଖକୁ ଯାଉଥିଲେ। ହେଲେ ଏଭଳି କେହି ଆସି ଆକ୍ରମଣ କରିବ ବୋଲି ତାଙ୍କୁ ଜଣାନଥିଲା। ଜମି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା କହିଛି ପୁଲିସ। ଏବେ ସିସିଟିଭି ଫୁଟେଜ ଯାଞ୍ଚ କରି ପୁଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛି।