ବିହାରରେ ଇଞ୍ଜିନିୟରଙ୍କୁ ବନ୍ଧୁକ ମୁନରେ ବଳପୂର୍ବକ ବିବାହ କରାଇଲେ ଝିଅଘର ଲୋକ

ପାଟନା: ବିହାରରେ ଜଣେ ୨୯ ବର୍ଷିୟ ଯୁବକଙ୍କୁ ଅପହରଣ କରାଯିବା ସହ ତାଙ୍କ ଅନିଚ୍ଛା ସତ୍ୱେ ବିବାହ କରିବାକୁ ବାଧ୍ୟ କରିଛନ୍ତି ଝିଅଘର ଲୋକ। ଯୁବକ ଜଣଙ୍କ ନେହୁରା ହୋଇ ଛାଡ଼ି ଦେବା ପାଇଁ କହୁଥିଲେ ମଧ୍ୟ ବନ୍ଧୁକ ମୁନରେ ଡ଼ରାଇ ତାଙ୍କ ସହ ଝିଅକୁ ବାହା କରାଇଥିଲେ ପରିବାର ଲୋକେ । ତେବେ ଏହା ପଛର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଯୁବତୀଙ୍କ ଭାଇ ଏପରି କାଣ୍ଡ କରିଥିବା ଜଣାପଡ଼ିଛି ।
ବିବାହ କରିଥିବା ଯୁବକଙ୍କ ନାମ ବିନୋଦ କୁମାର ହୋଇଥିବା ବେଳେ ସେ ବୋକାରୋ ଷ୍ଟିଲ ପ୍ଲାଣ୍ଟରେ ଜୁନିୟର ଇଂଞ୍ଜିନିୟର ଭାବେ କାମ କରୁଥିବା ଜଣାପଡ଼ିଛି । ସୂଚନା ଅନୂଯାୟୀ, ୨୦୧୭ ଡ଼ିସେମ୍ବର ୩ରେ ପାଟନାରେ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ବିନୋଦ ବୋକାରୋ ଠାରୁ ହଟିଆ-ପାଟନା ଏକ୍ସପ୍ରେସରେ ଚଢ଼ିଥିଲେ । ବିବାହ ଭୋଜିରେ ବିନୋଦ ଯୁବତୀଙ୍କ ଭାଇ ସୁରେନ୍ଦ୍ର ଯାଦବଙ୍କୁ ଭେଟିବା ସହ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ହୋଇ ଯାଇଥିଲା । ଏହା ପରେ ସୁରେନ୍ଦ୍ର ବିନୋଦଙ୍କୁ ମୋକାମା ଆସିବାକୁ ରାଜି କରାଇଥିଲେ । ବିନୋଦ ତାଙ୍କ କଥାରେ ରାଜି ହୋଇ ମୋକାମାରେ ପହଞ୍ଚିବା ପରେ ସେଠାରୁ ସୁରେନ୍ଦ୍ର ତାଙ୍କ ଅପହରଣ କରି ପାଣ୍ଡରାକ୍‌କୁ ନେଇ ଯାଇଥିଲେ । ସେଠାକୁ ନେଇ ତାଙ୍କୁ ଧମକାଇବା ସହ ବନ୍ଧୁକ ମୁନରେ ଡ଼ରାଇ ତାଙ୍କ ଭଉଣୀଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ ।

ndtv

ବିନୋଦ ଛାଡ଼ି ଦେବା ପାଇଁ ନେହୁରା ହୋଇଥିଲେ ମଧ୍ୟ “ଆମେ ତୁମର ବାହାଘର କରୁଛୁ, ତମକୁ ଫାଶୀ ଦେଉନୁ” କହି ବିବାହ ପାଇଁ ସଜବାଜ କରାଇବା ସହ ବାହାଘର କରାଇଥିଲେ । ନିର୍ଦ୍ଧାରିତ ହୋଇଥିବା ସମୟରେ ବିନୋଦ ଘରେ ନ ପହଞ୍ଚିବାରୁ ବିନୋଦଙ୍କ ଭାଇ ସଞ୍ଜୟ କୁମାର ଚିନ୍ତିତ ହୋଇ ପଡ଼ିଥିଲେ । ଏହା ପରେ ତାଙ୍କୁ ଏକ ଅଜଣା ନମ୍ବରରୁ ଫୋନ ଆସିବା ସହ ତାଙ୍କ ଭାଇର ଜୋର ଜବରଦସ୍ତ ବିବାହ କରାଯାଇଛି ବୋଲି କେହି ଜଣେ ଜଣାଇଥିଲେ । ଏହା ଜାଣିବା ପରେ ସଞ୍ଜୟ କୁମାର ପାଣ୍ଡରାକ୍‌ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏ ନେଇ କୌଣସି ପ୍ରକାରର ସାହାଯ୍ୟ କରି ପାରିବେ ନାହିଁ ବୋଲି ଜଣାଇଥିଲେ । ଅପହରଣ ମୋକାମାରେ ହୋଇଥିଲା ଏବଂ ଆଇନ ଅନୁଯାୟୀ ମୋକାମାରେ ହିଁ ଅଭିଯୋଗ କରିବାକୁ ହେବ ବୋଲି ଡ଼୍ୟୁଟିରେ ଥିବା ପୁଲିସ କର୍ମଚାରୀ ପ୍ରଭାକର ବିଶ୍ୱକର୍ମା କହିଥିଲେ ।

ଏହା ପରେ ସଞ୍ଜୟ ପାଟନାର ବରିଷ୍ଠ ପୁଲିସ ଅଧ୍ୟୀକ୍ଷକ ମନୁ ମହାରାଜଙ୍କୁ ଜଣାଇବା ପରେ ବିନୋଦଙ୍କୁ ବିବାହ ପରେ ରଖାଯାଇଥିବା ଗ୍ରାମରୁ ମୁକ୍ତ କରିବା ପାଇଁ ସେ ପାଣ୍ଡରାକ୍‌ ପୁଲିସକୁ ଆଦେଶ ଦେଇଥିଲେ । ତାଙ୍କୁ ମୁକ୍ତ କରାଯାଇଥିଲେ ମଧ୍ୟ ବିନୋଦଙ୍କୁ ଏବେ ବି ଧମକପୁର୍ଣ୍ଣ ଫୋନ ଆସିବାରେ ଲାଗିଛି । ଅନ୍ୟ ପକ୍ଷରେ ଆମେ ତଦନ୍ତ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବୁ ବୋଲି ପାଟନା ପୁଲିସ ଏସ୍‌ପି ଅମରକେଶ କହିଛନ୍ତି । ୨୦୧୬ରେ ଏଭଳି ପ୍ରାୟ ୩,୦୦୦ଘଟଣା ଘଟିଥିଲେ ମଧ୍ୟ ଗୋଟେ ବି ବିବାହକୁ ରଦ୍ଦ କରାଯାଇ ନଥିଲା ।

ସମ୍ବନ୍ଧିତ ଖବର