ନୂଆଦିଲ୍ଲୀ: ବିହାରର ବୌଦ୍ଧଗୟାଠାରେ ଅବସ୍ଥିତ ମହାବୋଧି ମନ୍ଦିରରୁ ଟଙ୍କା ଚୋରି ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭାଇରାଲ ହୋଇଥିବା ଭିଡିଓରେ ମହାବୋଧି ମନ୍ଦିରର ଗର୍ଭଗୃହରେ ଜଣେ ବୌଦ୍ଧଭିକ୍ଷୁକ ଟଙ୍କା ଚୋରି କରୁଛନ୍ତି। ଟଙ୍କା ଚୋରି କରିବା ପରେ ସେ ଭଗବାନ ବୁଦ୍ଧଙ୍କ ପାଦସ୍ପର୍ଶ କରି କ୍ଷମା ମାଗୁଥିବା ଦେଖିବାକୁ ମିଳୁଛି।
ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଏ ଦୃଶ୍ୟକୁ ଦେଖିବା ପରେ ବୌଦ୍ଧଗୟା ମନ୍ଦିର ପରିଚାଳନା କମିଟି ପୁଲିସ ନିକଟରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି। କମିଟି ମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜକୁ ପୁଲିସକୁ ହସ୍ତାନ୍ତର କରିଛି। ଏହି ଫୁଟେଜକୁ ଆଧାର କରି ପୁଲିସ ଚୋର ବୌଦ୍ଧ ଭିକ୍ଷୁକଙ୍କୁ ଗିରଫ ପାଇଁ ତଦନ୍ତ ଆରମ୍ଭ କରିଛି।
ବିହାରର ବୌଦ୍ଧଗୟା ମହାବୋଧି ମନ୍ଦିରରେ ଭଗବାନ ବୁଦ୍ଧ ଜ୍ଞାନ ପ୍ରାପ୍ତ କରିଥିଲେ। ପ୍ରତିବର୍ଷ ଲକ୍ଷଲକ୍ଷ ବୌଦ୍ଧଭକ୍ତ, ବୌଦ୍ଧ ଭିକ୍ଷୁକ ଏବଂ ବିଭିନ୍ନ ଦେଶବିଦେଶରୁ ପର୍ଯ୍ୟଟକ ଏଠାକୁ ଭଗବାନ ବୁଦ୍ଧଙ୍କ ଦର୍ଶନ ପାଇଁ ଆସିଥାଆନ୍ତି।
#bihargya #mahabodhimandir #viralvideo #trendingvideo pic.twitter.com/1UGPTDkkbc
— Khushbu Goyal (@kgoyal466) May 5, 2024
ପୁଲିସକୁ ହସ୍ତାନ୍ତର କରାଯାଇଥିବା ମନ୍ଦିରର ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି, ଏହି ମନ୍ଦିରର ଗର୍ଭଗୃହର ସେବା ପାଇଁ ରଖାଯାଇଥିବା ଜଣେ ବୌଦ୍ଧଭିକ୍ଷୁକ ରାତିରେ ମନ୍ଦିରରେ ପ୍ରବେଶ କରି ଦାନବାକ୍ସରୁ ଟଙ୍କା ଚୋରି କରି ନେଉଛନ୍ତି। ଟଙ୍କା ଚୋରି କରିବା ପରେ ସେ ଭଗବାନ ବୃଦ୍ଧଙ୍କ ପ୍ରତିମା ନିକଟରେ ପ୍ରଣାମ କରି କ୍ଷମା ପ୍ରାର୍ଥନା କରୁଥିବା ଦେଖିବାକୁ ମିଳୁଛି।