ପୁଲିସ ପରିଚୟ ଦେଇ ଲୁଟୁଛନ୍ତି, ରାଜଧାନୀରେ ବିହାରୀ ଲୁଟେରା

ଭୁବନେଶ୍ୱର: ନିଜକୁ ପୁଲିସ ବୋଲି ପରିଚୟ ଦେଇ ଦିନ ଦ୍ୱିପହରରେ ଲୁଟୁଛନ୍ତି ବିହାରୀ ଲୁଟେରା। ଗତ କିଛି ଦିନ ହେଲା ରାଜଧାନୀରେ ଏଭଳି ଲୁଟ୍‌ ବଢ଼ିବାରେ ଲାଗିଛି। ନିକଟରେ ଜଣେ ଯୁବକ ନୂଆପଲ୍ଲୀ ଥାନାରେ ଏଭଳି ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ ଗତ ୧ ତାରିଖ ଦିନ ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ନୂଆପଲ୍ଲୀ ଅଞ୍ଚଳର କୃଷ୍ଣଚନ୍ଦ୍ର ରାୟ ନାମକ ଜଣେ ଯୁବକ କିଛି କାମରେ ବାହାରକୁ ଯାଉଥିବା ସମୟରେ ହଠାତ କେତେ ଜଣ ଯୁବକ ଏକ ବାଇକ୍‌ରେ ଆସି ବିଜୁ ପଟ୍ଟନାୟକ ଛକଠାରେ ତାଙ୍କୁ ଅଟକାଇଥିଲେ। କୃଷ୍ଣ ଗାଡ଼ି ଅଟକାଇବାରୁ ଯୁବକମାନେ ତାଙ୍କୁ ପୁଲିସ ବୋଲି ପରିଚୟ ଦେଇଥିଲେ। କହିଥିଲେ, ଆଗରେ ଚୋରି ହୋଇଛି। ସେଥିପାଇଁ ପୁଲିସ ସମସ୍ତଙ୍କ ଗାଡ଼ି ଚେକିଂ କରୁଛି। ପୁଲିସ ବୋଲି ଜାଣିବା ପରେ କୃଷ୍ଣ ଗାଡ଼ିରୁ ଓହ୍ଲାଇଥିଲେ। ତେବେ ସେ କିଛି ବୁଝିବା ପୂର୍ବରୁ ଆଉ ଜଣେ ଯୁବକ ତାଙ୍କୁ ସେ ପିନ୍ଧିଥିବା ସୁନା ଚେନ, ମୁଦି ଓ ବ୍ରେସଲେଟ ଆଦି କାଢ଼ିବାକୁ କହିଥିଲେ। ପୁଲିସର ପରିଚୟ ଦେଇଥିବାରୁ କୃଷ୍ଣ ତାଙ୍କ କଥା ମାନି ସେ ପିନ୍ଧିଥିବା ସୁନା ଅଳଙ୍କାର କାଢ଼ିଥିଲେ। ଏହି ସମୟରେ ପାଖରେ ଥିବା ଆଉକିଛି ଯୁବକ ଆସି ତାଙ୍କୁ ଧମକାଇ ଥିଲେ। ସେ ଡରିଯାଇ ତାଙ୍କୁ ସବୁ ସୁନା ଅଳଙ୍କାର ଦେଇ ଦେଇଥିଲେ। ଏହାପରେ ସେମାନେ ତାଙ୍କୁ ଗାଡ଼ିରେ ପଛେ ପଛେ ଥାନାକୁ ଆସିବାକୁ କହି ସେଠାରୁ ଚାଲିଯାଇଥିଲେ। ସୁନା ଅଳଙ୍କାର ପାଇବା ପାଇଁ କୃଷ୍ଣ ନୂଆପଲ୍ଲୀ ଥାନାକୁ ଆସି ଜାଣିବାକୁ ପାଇଥିଲେ ଯେ ସେ ଲୁଟର ଶିକାର ହୋଇଛନ୍ତି। ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ ଏହି ଲୁଟେରାମାନେ ବିହାରରୁ ଆସିଛନ୍ତି। ନୂଆପଲ୍ଲୀ ଛଡ଼ା ସେମାନେ ବଡ଼ଗଡ଼ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ମଧ୍ୟ ସମାନ ଢଙ୍ଗରେ ଲୁଟ କରିଛନ୍ତି। ଏ ନେଇ ନୂଆପଲ୍ଲୀ ଥାନାର ଇନ୍ସପେକ୍ଟଟର ସଂଗ୍ରାମ କେଶରୀ ପଟ୍ଟନାୟକ କହିଛନ୍ତି ଯେ ଯଦି କୌଣସି ବ୍ୟକ୍ତି ନିଜକୁ ପୁଲିସ କହି କାହାଠାରୁ ପଇସା କିମ୍ବା ଅନ୍ୟ କୌଣସି ମୂଲ୍ୟବାନ ସାମଗ୍ରୀ ମାଗୁଛନ୍ତି ତେବେ ଲୋକମାନେ ତାଙ୍କ ପରିଚୟପତ୍ର ମାଗି ଦେଖିବା ଆବଶ୍ୟକ। ଆଉ ଯଦି କୌଣସି ବ୍ୟକ୍ତି ଉପରେ ସନ୍ଦେହ ହେଉଛି ତୁରନ୍ତ ନିକଟସ୍ଥ ଥାନାରେ ଜଣାଇଲେ ଏଭଳି ଅପରାଧକୁ ରୋକାଯାଇପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର