ପାଟନା: ଗଣଦୁଷ୍କର୍ମ ପରେ ନର୍ସଙ୍କୁ ନିର୍ମମ ଭାବେ ହତ୍ୟା। ଆମ୍ବୁଲାନ୍ସରେ ମୃତଦେହ ଲୁଚାଇଲେ ଡାକ୍ତର ଓ କମ୍ପାଉଣ୍ଡର। ବିହାରର ପୂର୍ବ ଚମ୍ପାରନ ଜିଲ୍ଲାରେ ଘଟିଛି ଏଭଳି ହୃଦୟଥରା ଘଟଣା। ମୃତକ, କାମ କରୁଥିବା ଘରୋଇ ନର୍ସିଂହୋମର ଜଣେ ଡାକ୍ତର ଏବଂ କମ୍ପାଉଣ୍ଡରଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପୀଡିତା ମୋତିହାରୀର ଜାନକୀ ସେବା ସଦନ ନର୍ସିଂହୋମରେ କାମ କରୁଥିଲେ ବୋଲି ଜଣାଯାଇଛି। ଘଟଣା ବିଷୟରେ ଖବର ମିଳିବା ପରେ ପୁଲିସ ଅଭିଯୁକ୍ତ କମ୍ପାଉଣ୍ଡରକୁ ଗିରଫ କରିଥିବାବେଳେ ଅଭିଯୁକ୍ତ ଡାକ୍ତର ଏବଂ ଅନ୍ୟ କର୍ମଚାରୀମାନେ ଫେରାର ଅଛନ୍ତି।

Advertisment

କୁହାଯାଉଛି ଯେ, ପୀଡିତାଙ୍କ ମା’ ଏହି ଘଟଣାରେ ଡାକ୍ତର ଜୟପ୍ରକାଶ ଦାସ ଏବଂ ଅନ୍ୟ ପାଞ୍ଚଜଣଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛନ୍ତି। ଏତଲା ଦାଖଲ ହେବା ପରେ ପୁଲିସ ନର୍ସିଂହୋମକୁ ସିଲ୍ କରିଛି। ପୀଡିତାଙ୍କ ମା’ଙ୍କ ଅନୁଯାୟୀ, ୩୦ବର୍ଷୀୟା ପୀଡିତା ଜଣେ ବିଧବା ଥିଲେ ଏବଂ ତାଙ୍କର ଏକ ଚାରି ବର୍ଷର ସନ୍ତାନ ଅଛି। ସେ ଯେଉଁ ନର୍ସିଂହୋମରେ କାମ କରୁଥିଲେ ତାହାର ପରିଚାଳନା କରୁଥିଲେ ମନତୋଷ କୁମାର ଓ ଡାକ୍ତର ଜୟପ୍ରକାଶ ଦାସ।

ପୀଡ଼ିତାଙ୍କ ମା’ଙ୍କ କହିବା ମୁତାବକ, ସ୍ୱାମୀଙ୍କ ଦେହାନ୍ତ ପରେ ମୋ ଝିଅ ମୋ ପାଖରେ ରହୁଥିଲା। ଆମର ଅବସ୍ଥା ଦେଖି ଜୟପ୍ରକାଶ ଏବଂ ମନତୋଷ କୁମାର ମୋ ଝିଅକୁ ଚାକିରି କରିବାର ଅଫର ଦେଇଥିଲେ। କାମ ଶିଖି ଭଲ ଟଙ୍କା ରୋଜଗାର କରିବ ବୋଲି କହି ଦୁହେଁ ମୋ ଝିଅକୁ ନର୍ସିଂହୋମ ପଠାଇବାକୁ କହିଥିଲେ। ଝିଅକୁ କାମ ଦରକାର ଥିବାରୁ ସେ ଦୁହିଁଙ୍କ ପ୍ରସ୍ତାବରେ ରାଜି ହୋଇ ସେଠାକୁ କାମ କରିବାକୁ ଯାଇଥିଲା। ହେଲେ ସେଠାରୁ ଫେରିବା ପରେ ସେ ଆଉ କାମ କରିବାକୁ ଯିବନି ବୋଲି ମନା କରିଦେଇଥିଲେ। ମୁଁ କାରଣ ପଚାରିବାରୁ ସେ କହିଥିଲା, ସେଠାରେ ଥିବା ଡାକ୍ତର ଏବଂ ଅନ୍ୟମାନଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଏବଂ ମୋତେ ସେଠାରେ ହଇରାଣ କରାଯାଇଛି। ଏହା ଶୁଣି ମୁଁ ତାକୁ କାମକୁ ଯିବାକୁ ଦେଇନଥିଲି। କିଛି ଦିନ ପରେ ଜୟପ୍ରକାଶ ଏବଂ ମନତୋଷ କୁମାର ମୋ ଘରକୁ ଆସି କ୍ଷମା ମାଗିଥିଲେ ଏବଂ ଝିଅକୁ ଭଲ ଦରମା ଦେବୁ ବୋଲି କହି କାମକୁ ଫେରିବାକୁ କହିଥିଲେ। ଅଗଷ୍ଟ ୮ରେ ଝିଅ ନର୍ସିଂହୋମ ଯାଇଥିବା ବେଳେ ଆଉ ଫେରିନଥିଲା।

ସେ ଆହୁରି କହିଛନ୍ତି, ପରେ ଜୟପ୍ରକାଶ ଆମକୁ ସୂଚନା ଦେଇଥିଲା ଯେ ତୁମ ଝିଅର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି ଏବଂ ସେ ମୁଜାଫରପୁରର ଏକ ଡାକ୍ତରଖାନାରେ ଅଛନ୍ତି। ସେ କହିଥିବା ହସ୍ପିଟାଲକୁ ଯାଇ ବି ଆମେ ଝିଅକୁ ପାଇନଥିଲୁ। ପରେ ବହୁତ ଖୋଜାଖୋଜି ପରେ ଆମ୍ବୁଲାନ୍ସରେ ତା’ର ମୃତଦେହ ମିଳିଥିଲା।