ଦଳିତ ଯୁବକଙ୍କୁ ପ୍ରେମ କରିବା ମହଙ୍ଗା ପଡ଼ିଲା, ଚାଟିବାକୁ ପଡ଼ିଲା ଛେପ ଓ ପିଇବାକୁ ପଡ଼ିଲା ପରିସ୍ରା

ନୂଆଦିଲ୍ଲୀ: ବିହାରର ଗୟାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଦଳିତ ଯୁବକଙ୍କୁ ପଞ୍ଚାୟତ ସାମ୍ନାରେ ଚଟାଣରୁ ଛେପ ଚାଟିବାକୁ କୁହାଯିବା ସହିତ ପରିସ୍ରା ପିଇବାକୁ ବାଧ୍ୟ କରାଯାଇଥିଲା। ତେବେ ଉକ୍ତ ଦଳିତ ବ୍ୟକ୍ତିଙ୍କର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିବା ଧରାପଡ଼ିବା ପରେ ତାଙ୍କ ସହିତ ଏଭଳି ବ୍ୟବହାର କରାଯାଇଥିବା ଜଣାପଡ଼ିଛି।

ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ଆଣ୍ଠୁମାଡି ଚଟାଣରୁ ଛେପ ଚାଟୁଛନ୍ତି। ଏହି ଛେପ ପଞ୍ଚାୟତ ସମୟରେ ଚଟାଣରେ ପକା ଯାଇଥିଲା। ଏହାକୁ ଚାଟିବାକୁ ଦଳିତ ଯୁବକଙ୍କୁ ବାଧ୍ୟ କରାଯାଇଥିଲା। କେବଳ ଏତିକି ନୁହେଁ, ଦଳିତ ବ୍ୟକ୍ତିଙ୍କୁ ପରିସ୍ରା ପିଇବାକୁ ମଧ୍ୟ ଜବରଦସ୍ତ କରାଯାଇଥିଲା।

ବିହାରର ଗାୟାର ୱାଜିରଗଞ୍ଜ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ଯୁବକ ଜଣକ ଜଣେ ଯୁବତୀଙ୍କୁ ଘରୁ ନେଇ  ଫେରାର ହୋଇଯାଇଥିଲେ। ଏହାପରେ ଯୁବତୀଙ୍କ ପରିବାର ବହୁ ଖୋଜାଖୋଜି କରି ଦୁହିଁଙ୍କୁ ଧରି ଗ୍ରାମରେ ଏକ ପଞ୍ଚାୟତ ଡାକିଥିଲେ।  ଯୁବତୀଙ୍କ ସହ ଉକ୍ତ ଦଳିତ ଯୁବକଙ୍କ ପ୍ରେମସମ୍ପର୍କ ଥିବାରୁ ପଞ୍ଚାୟତ ସାମ୍ନାରେ ତାଙ୍କୁ ଏଭଳି ନିର୍ଯାତନା ଦିଆଯାଇଥିଲା।

ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଗୟା ପୁଲିସ ଏଥିପ୍ରତି ଦୃଷ୍ଟି ଦେଇଥିଲା। ଗୟା ଏସଏସପି ଆଦିତ୍ୟ କୁମାର ଏହି ନିର୍ଯାତନା ବିଷୟରେ ଜାଣି ଏକ ମାମଲା ରୁଜୁ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ସମ୍ପୃକ୍ତ ୬ଜଣଙ୍କୁ ଗିରଫ କରାଯାଇଛି ଏବଂ ଏଥିରେ ସମ୍ପୃକ୍ତ ଥିବା ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଏସପି ଆଦିତ୍ୟ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର