ତାମିଲ ଅଭିନେତ୍ରୀ ନୟନତାରା ସାଜି ଗ୍ୟାଙ୍ଗ୍‌ଷ୍ଟର୍‌କୁ ଧରିଲେ ବିହାରୀ ମହିଳା ପୁଲିସ

ନୂଆଦିଲ୍ଲୀ: ଗୋଟିଏ ଚୋରି ମୋବାଇଲ୍‌ ଫୋନ୍‌, ଜଣେ ଗ୍ୟାଙ୍ଗ୍‌ଷ୍ଟର୍‌, ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ନୟନତାରାଙ୍କ ଫଟୋ ଏବଂ ଜଣେ ଅତ୍ୟନ୍ତ ସ୍ମାର୍ଟ ମହିଳା ପୁଲିସଙ୍କ ସମ୍ପୃକ୍ତିର କାହାଣୀ ଇଏ।

ବିହାରରେ ଜଣେ ମହିଳା ପୁଲିସ ଅଧିକାରିଣୀ ନିଜର ପ୍ରୋଫାଇଲ୍‌ ଫଟୋରେ ଅଭିନେତ୍ରୀ ନୟନତାରାଙ୍କର ଫଟୋ ରଖି ଜଣେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍‌କୁ ଧରିବାରେ ସମର୍ଥା ହୋଇଛନ୍ତି।

ପୁଲିସ କହିବା ଅନୁସାରେ, ପାଟନା ଠାରୁ ଉତ୍ତରକୁ ପ୍ରାୟ ୧୫୦ କିଲୋମିଟର ଦୂର ଦରଭଙ୍ଗା ଜିଲ୍ଲାରେ ଭାରତୀୟ ଜନତା ପାର୍ଟିର ନେତା ସଞ୍ଜୟ କୁମାର ମାହାତୋଙ୍କର ଗୋଟିଏ ଦାମିକା ମୋବାଇଲ୍‌ ଫୋନ୍‌ ମହମ୍ମଦ ହସ୍‌ନୈନ୍‌ ଚୋରାଇ ନେଇଥିଲେ। ଏ ବାବଦରେ ଅଭିଯୋଗ ଦାଏର ହେବା ପରେ ମାମଲା ହସ୍ତାନ୍ତର କରାଯାଇଥିଲା ସହକାରୀ ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍‌ ତଥା ବରିଷ୍ଠ ପୁଲିସ ଅଧିକାରୀ ମଧୁବାଳା ଦେବୀଙ୍କୁ।

Image Courtesy of Youtube

ଚୋରି ହୋଇ ଯାଇଥିବା ଫୋନ୍‌ଟିର ସମସ୍ତ କଲ୍‌ ଡିଟେଲ୍‌ ରେକର୍ଡକୁ ଅତି ସତର୍କତାର ସହ ଟିକି ନିଖି କରି ଯାଞ୍ଚ କରିବା ପରେ ଜଣାପଡ଼ିଲା ଯେ ହସ୍‌ନୈନ୍‌ ଏବେ ମଧ୍ୟ ସେ ମୋବାଇଲ୍‌ ହ୍ୟାଣ୍ଡ୍‌ସେଟ୍‌ଟିକୁ ବ୍ୟବହାର କରୁଛି।

ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍‌ ହସ୍‌ନୈନ୍‌କୁ ଧରିବାକୁ ପୁଲିସ ବହୁବାର ଉଦ୍ୟମ କରିଥିଲେ ମଧ୍ୟ ସେ ଖସି ଯିବାକୁ ସମର୍ଥ ହେଉଥିଲା। ମୋବାଇଲ୍‌ ଚୋରି ହେବା ପରେ ଘଟଣା ବଦଳିବାକୁ ଲାଗିଲା।

ତୀକ୍ଷ୍ଣ-ବୁଦ୍ଧିଦୀପ୍ତା ମହିଳା ପୁଲିସ ଅଧିକାରିଣୀ ମଧୁବାଳା ଗୋଟାଏ ଉପାୟ ପାଞ୍ଚିଲେ। ଜଣେ ତରୁଣୀ ଭଳି ସେ ହସ୍‌ନୈନ୍‌ ସହ ପ୍ରେମ ସମ୍ପର୍କ ରଖିବାକୁ ଯୋଜନା କଲେ।

ନିୟମିତ ବ୍ୟବଧାନରେ ସେ ହସ୍‌ନୈନ୍‌କୁ ଫୋନ୍‌ କରି ପ୍ରେମ ନିବେଦନ କଲେ। ପ୍ରଥମେ ପ୍ରଥମେ ହସ୍‌ନୈନ୍‌ ଏଥିରେ ଆଗ୍ରହ ଦେଖାଉ ନ ଥିଲା। ବହୁବାର କଥା ଟାଳିବା ପରେ ସମୟ କ୍ରମେ ସେ ତାଙ୍କର ପ୍ରେମ ମାୟାରେ ପଡ଼ିବାକୁ ବାଧ୍ୟ ହୋଇ ଥିଲେ।

ତୁରନ୍ତ ତାଙ୍କୁ ନିଜର ଫଟୋଟିଏ ପଠାଇବାକୁ ହସ୍‌ନୈନ୍‌ ପୁଲିସ ଅଧିକାରିଣୀଙ୍କୁ କହିଲେ। ମଧୁବାଳା ନିଜର ମୋବାଇଲ୍‌ ଫୋନ୍‌ ପ୍ରୋଫାଇଲ୍‌ ପିକ୍‌ଚର୍‌ରେ ଦକ୍ଷିଣ ଭାରତୀୟ ସୁପର୍‌ ହିରୋଇନ୍‌ ନୟନତାରାଙ୍କ ଫଟୋ ରଖିଥିଲେ।

ସେ ଫଟୋଚିତ୍ର ଦେଖି ହସ୍‌ନୈନ୍‌ ବାତୁଳ ପ୍ରାୟ ହୋଇ ଦରଭଙ୍ଗା ସହରର ଠାଏ ଭେଟିବାକୁ ରାଜି ହେଲା। ଶେଷରେ ହସ୍‌ନୈନ୍‌ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବା ମାତ୍ରେ ପୂର୍ବ ପରିକଳ୍ପିତ ଯୋଜନା ଅନୁସାରେ ସେ ଅଞ୍ଚଳର ବିଭିନ୍ନ ସ୍ଥାନରେ ସାଦା ପୋଷାକରେ ଥିବା ଅନ୍ୟ ପୁଲିସମାନଙ୍କ ସହାୟତାରେ ତାଙ୍କୁ ଗିରଫ କରାଯାଇଥିଲା।

ମହିଳା ପୁଲିସ ଅଧିକାରିଣୀ ବୁର୍ଖା ପିନ୍ଧି ଥିବାରୁ ହସ୍‌ନୈନ୍‌ ତାଙ୍କୁ ଚିହ୍ନିବା ସମ୍ଭବପର ହୋଇ ପାରି ନ ଥିଲା। ଫଳତଃ, ହସ୍‌ନୈନ୍‌ ଧରା ପଡ଼ି ଯାଇଥିଲା।

Image Courtesy of India.com

ମହମ୍ମଦ ହସ୍‌ନୈନ୍‌ ନିଜର ଅପରାଧ ସ୍ୱୀକାର କଲା, କିନ୍ତୁ କହିଲା ଯେ ଅନ୍ୟ ଜଣେ ଅପରାଧୀଙ୍କ ଠାରୁ ୪, ୫୦୦ ଟଙ୍କା ଦେଇ ସେ ଫୋନ୍‌ଟି କିଣିଛି। ହସ୍‌ନୈନ୍‌ଙ୍କ ତଥ୍ୟ ଆଧାରରେ ଅନ୍ୟ ଜଣେ ଅପରାଧି ମଧ୍ୟ ପୁଲିସ ଦ୍ୱାରା ଧରା ପଡ଼ିଥିଲା।

ତୀକ୍ଷ୍ଣ-ବୁଦ୍ଧି ଏବଂ ଦୃଷ୍ଟିଭଙ୍ଗୀ ପାଇଁ ବିହାର ପୁଲିସ ବିଭାଗ ମଧୁବାଳାଙ୍କ ପାଇଁ ଏକ ପୁରସ୍କାର ଘୋଷଣା କରିଛି।

ସମ୍ବନ୍ଧିତ ଖବର