ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବିଜନୌରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଦ୍ବିତୀୟଶ୍ରେଣୀରେ ପାଠପଢ଼ୁଥିବା ଜଣେ ଛାତ୍ର ଫାଶୀ ଦେଇ ଜୀବନ ହାରି ଦେଇଛି।
ସୂଚନାଯୋଗ୍ୟ, କିରତପୁର ମୁହଲ୍ଲା ମିଲ୍କିୟାନ ଲାଲ ମଜସିଦ ନିକଟରେ ବସବାସ କରୁଥିବା ନିସାର ପରିବା ବିକ୍ରି କରି ନିଜର ପରିବାର ପ୍ରତିପୋଷଣ କରିଥାଆନ୍ତି। ଗତ ବୁଧବାର ସକାଳେ ସେ ତାଙ୍କ ପୁଅ ଶାଦାନ ଓରଫ ଶାହରୁଖ ଉପରେ ପାଠପଢ଼ାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ବାପାଙ୍କ ଗାଳି ଶୁଣିବା ପରେ ଶାଦାନ ଘରୁ ଚାଲିଯାଇଥିଲା। କିଛି ସମୟ ପରେ ଶାଦାନ କେଉଁଆଡେ ଯାଇଛି ଜାଣିବାକୁ ଭଉଣୀ ଜୀନତ ଖୋଜିବାକୁ ଯାଇଥିଲା। ଏହି ସମୟରେ ଘର ଠାରୁ କିଛି ଦୂରରେ ଥିବା ଏକ ଖାଲି ଘର ସାମ୍ନାରେ ଭାଇ ଶାଦାନର ଚପଲ ପଢ଼ିଥିବା ଜୀନତ ଦେଖିବାକୁ ପାଇଥିଲା। ଏହାପରେ ସେ ଘର ଭିତରକୁ ଯିବା ପରେ ଭାଇର ଅବସ୍ଥା ଦେଖି ସ୍ତବ୍ଧ ହୋଇଯାଇଥିଲା। ଭାଇ ଫାଶୀ ଦେଇ ଜୀବନ ହାରି ଦେଇଥିଲା।
କାନ୍ଦିକାନ୍ଦି ଆସି ଘରେ ଘଟଣା ବିଷୟରେ କହିଥିଲା। ପରିବାରଲୋକ ଦୌଡ଼ି ଯାଇ ଶାଦାନକୁ ଉଦ୍ଧାର କରି ହସ୍ପିଟାଲ ନେଇଯାଇଥିଲେ କିନ୍ତୁ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିଲେ। ନିସାରଙ୍କ ଦୁଇଝିଅ ଓ ଦୁଇପୁଅ ଅଛନ୍ତି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ନିସାର ପୁଅର ଏଭଳି ମୃତ୍ୟୁକୁ ଗ୍ରହଣ କରି ନପାରି ପାଗଳପ୍ରାୟ ହୋଇଯାଇଛନ୍ତି।