ଡାକ୍ତରଖାନାରୁ ବାଇକ୍‌ ଲୁଟି ଜାଳିଦେଲେ

ବାଲିଅନ୍ତା: ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଲୁଟ୍‌ ହୋଇଥିବା ଏକ ବାଇକ୍‌ ଆଜି ପ୍ରତାପଶାସନ ପୁରୀ କେନାଲ ବ୍ରିଜ୍‌ ନିକଟରୁ ପୋଡ଼ିଯାଇଥିବା ଅବସ୍ଥାରେ ମିଳିଛି। ଗାଡ଼ି ଚୋରି କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ କେହି ଦୁର୍ବୃତ୍ତ ଏପରି କରିଥିବା ଅନୁମାନ କରାଯାଉଛି। ବାଳକାଟି ଫାଣ୍ଡି ପୁଲିସ ପୋଡ଼ା ବାଇକ୍‌କୁ ଜବତ କରିବା ସହ ଏନେଇ ତଦନ୍ତ ଆରମ୍ଭ କରିଛି। ମାତ୍ର ଶେଷ ଖବର ଲେଖା ହେବା ବେଳକୁ ପୁଲିସ ଏହି ଘଟଣାରେ କାହାରିକୁ ଗିରଫ କରିନାହିଁ। ଏପରିକି ମାମଲା ମଧ୍ୟ ରୁଜୁ କରି ନଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ହୀରାପୁରର ଜଣେ ଯୁବକ ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେହି ସମୟରେ କେହି ଦୁର୍ବୃତ୍ତ ତାଙ୍କ ବାଇକ୍‌ ଲୁଟି ନେଇଥିଲା। ଏନେଇ ସେ ଆଜି ପୂର୍ବାହ୍ନରେ ବାଳକାଟି ଫାଣ୍ଡି ଅଧିକାରୀ ଶ୍ରୀ ସାହୁଙ୍କୁ ଜଣାଇଥିଲେ। ବାଳକାଟି ପ୍ରତାପଶାସନ ପୁରୀ କେନାଲ ବ୍ରିଜ୍‌ ନିକଟରେ ଏକ ବାଇକ୍‌ ଜଳି ଯାଉଥିବା ଖବର ପାଇ ଉଭୟ ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ଓ ଅଭିଯୋଗକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯାଞ୍ଚ କରିବାରୁ ସେଇଟି ଉକ୍ତ ବାଇକ୍‌ ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର