ବାଇକ୍‌ ଲୁଟେରା ଗିରଫ ୫ ଗାଡ଼ି ଜବତ

ଖଣ୍ଡଗିରି: ଶନିବାର ଖଣ୍ଡଗିରି ଥାନା ପୁଲିସ୍‌ ବାଇକ୍‌ ଲୁଟ୍‌ କରୁଥିବା ଅଭିଯୋଗରେ ଜଣେ ଯୁବକକୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ, ଯଦୁପୁର-ରଘୁନାଥନଗର ଅଞ୍ଚଳର ସେକ୍ ନୁର୍ ଆଲମ୍‌(୨୬)। ତା’ ନିକଟରୁ ୫ଟି ଗାଡ଼ି(୩ ସ୍କୁଟି ଓ ୨ ବାଇକ୍‌) ଜବତ କରାଯାଇଛି। ପୁଲିସ ସୂଚନାନୁସା‌ରେ, ଗତ ସୋମବାର ସନ୍ଧ୍ୟା‌ରେ ସ୍ଥାନୀୟ କ୍ରିଷ୍ଣା ଗାର୍ଡେନ୍‌ କଲୋନିର ଦେବୀପ୍ରସାଦ ଦାସଙ୍କ ଘର ସମ୍ମୁଖରୁ ତାଙ୍କ ବାଇକ୍‌ ଚୋରି ହୋଇଥିଲା। ସେ ଗେଟ୍‌ ପାଖରେ ବାଇକ୍‌ ରଖି ଘର ଭିତରକୁ ଯାଇଥିଲେ ଓ ମାତ୍ର ୫/୭ ମିନିଟ୍‌ରେ ପୁଣି ଘରୁ ବାହାରିଥିଲେ। କିନ୍ତୁ ଏତିକି ସମୟ ଭିତରେ ତାଙ୍କ ବାଇକ୍‌ ଚୋରି ହୋଇଯାଇଥିଲା। ସେ ଘର ଭିତରକୁ ପଶିବା ପରେ ଅଭିଯୁକ୍ତ ନୁର୍ ନକଲି ଚାବି ବଳରେ ବାଇକ୍‌ ନେଇ ପାର୍ ହୋଇଯାଇଥିଲା। ଅଭିଯୋଗ ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ଓ ଉକ୍ତ କଲୋନିର ବିଭିନ୍ନ ଲେନ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଚୋରକୁ ଠାବ କରିବା ପାଇଁ ଚେଷ୍ଟା କରିଥିଲା। ଫଳରେ ନୁର୍ ଧରାପଡ଼ି ଯାଇଥିଲା। ଥାନାକୁ ଆଣି ପଚରାଉଚରା କରିବା ପରେ ସେ ଦେବୀପ୍ରସାଦଙ୍କ ବାଇକ୍‌ ସହ ବିକ୍ରି କରିପାରିନଥିବା ଅନ୍ୟ ୪ଟି ଚୋରା ଗାଡ଼ି ପାଖରେ ରଖିଥିବା ମାନିଥିଲା। ଗାଡ଼ି ଚୋରି କରିବା ପରେ ସେ ସୁବିଧା ଦେଖି କିଛି ଗାଡ଼ି କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିକି ଦିଏ। ମାତ୍ର ଗ୍ରାହକ ଯୋଗାଡ଼ ନ ହେଲେ ସେ କମ୍ ଦରରେ କବାଡ଼ିଆଙ୍କୁ ଦେଇଦିଏ ବୋଲି କହିଥିଲା।

ସମ୍ବନ୍ଧିତ ଖବର