ସିସିଟିଭି ଫୁଟେଜ୍‌ରେ ବାଇକ୍ ଚୋର

ଖଣ୍ଡଗିରି: ଡୁମୁଡୁମା ଅଞ୍ଚଳରେ ଦିନ ଦି’ପହରେ ଘର ସମ୍ମୁଖରୁ ବାଇକ୍ ଉଠାଇ ନେଉଥିବା ଦୁଇ ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ଖଣ୍ଡଗିରି ଥାନା ପୁଲିସ ରବିବାର ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ମିଥୁନ୍ ରେଡ୍ଡୀ(୧୯)ର ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି। ସେ ରଘୁନାଥନଗର ଶୁକ ବିହାରରେ ରହୁଛି। ପୁଲିସ ତା’ ନିକଟରୁ ଏକ ଚୋରା ବାଇକ୍ ଜବତ କରିଛି। ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ମିଥୁନ୍ ଗିରଫ ହୋଇଥିବାବେଳେ ମୁଖ୍ୟ ଆସାମୀ ଦୀପୁ ସାହୁ ଫେରାର୍ ରହିଛି।

ସୂଚନାନୁସାରେ ଡୁମୁଡୁମା ହାଉସିଂ ବୋର୍ଡ କଲୋନିରେ ରହୁଥିବା ଜ୍ଞାନରଞ୍ଜନ ମହାନ୍ତି ଗତ ମାସ ୨୭ ତାରିଖ ଅପରାହ୍ଣ ପ୍ରାୟ ୨ଟା ବେଳେ ଖାଇବା ପାଇଁ ଅଫିସ୍‌ରୁ ଘରକୁ ଫେରିଥିଲେ। ପ୍ରାୟ ଅଧଘଣ୍ଟା ପରେ ସେ ଖାଇସାରି ପୁଣି ଅଫିସ୍ ଯିବାକୁ ବାହାରିବାବେଳେ ଗେଟ୍ ନିକଟରେ ବାଇକ୍‌ ନଥିଲା। କେହି ଦୁର୍ବୃତ୍ତ ତାଙ୍କ ବାଇକ୍ ନେଇ ପଳାଇଥିଲା। ତୁରନ୍ତ ଶ୍ରୀ ମହାନ୍ତି ଖଣ୍ଡଗିରି ଥାନା ପୁଲିସକୁ ଅଭିଯୋଗ କରିଥିଲେ। ପୁଲିସ ନିକଟସ୍ଥ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଥିଲା। ଦୀପୁ ସାହୁ ଓ ମିଥୁନ୍ ବାଇକ୍ ନେଇ ପଳାଉଥିବା ଦୃଶ୍ୟ ସିସିଟିଭି ଫୁଟେଜ୍‌ରୁ ମିଳିବା ପରେ ପୁଲିସ ସେମାନଙ୍କ ପିଛା କରିଥିଲା। ଗତକାଲି ପୁଲିସ ଗଞ୍ଜାମରେ ଚଢ଼ଉ କରି ମିଥୁନ୍‌କୁ ଗିରଫ କରିବା ସହ ତା’ଠାରୁ ଶ୍ରୀ ମହାନ୍ତିଙ୍କ ବାଇକ୍ ଜବତ କରିଛି। ଦୀପୁ ସାହୁକୁ ଗିରଫ କରିବା ପରେ ଏକ ବଡ଼ ଗ୍ୟାଙ୍ଗ୍ ଠାବ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର