ପତ୍ନୀଙ୍କୁ ଖଣ୍ଡ ଖଣ୍ଡ କରି ୨ମାସ ଯାଏ ପାଣି ଟାଙ୍କିରେ ଲୁଚାଇ ରଖିଥିଲା ସ୍ବାମୀ

ବିଲାସପୁର: ପତ୍ନୀଙ୍କୁ ଖଣ୍ଡ ଖଣ୍ଡ କରି ୨ମାସ ଯାଏ ପାଣି ଟାଙ୍କିରେ ଲୁଚାଇ ରଖିଥିଲା ସ୍ବାମୀ। ଛତିଶଗଡ଼ର ବିଲାସପୁରରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ପ୍ରଥମେ ପତ୍ନୀଙ୍କୁ ହତ୍ୟା କରିବା ପରେ ଧରାପଡ଼ିଯିବା ଡରରେ ମୃତଦେହକୁ ଖଣ୍ଡ ଖଣ୍ଡ କରିବା ସହ ପାଣି ଟାଙ୍କିରେ ଲୁଚାଇ ଦେଇଥିଲେ ଅଭିଯୁକ୍ତ। ୨ମାସ ଯାଏ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଶରୀର ପାଣି ଟାଙ୍କିରେ ରହିବା ପରେ ଏବେ ଏହାକୁ ଜବତ କରିଛି ପୁଲିସ।

ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ପବନ ଠାକୁରକୁ ଗିରଫ କରାଯାଇଥିବା ବେଳେ ହତ୍ୟା ପଛର କାରଣ କହିଛି ଅଭିଯୁକ୍ତ। ପତ୍ନୀଙ୍କର ଅନ୍ୟ ପୁରୁଷ ସହ ସମ୍ପର୍କ ଥିବା ସନ୍ଦେହ କରି ରାଗରେ ଏଭଳି ହତ୍ୟାକାଣ୍ଡ କରିଥିବା ପୁଲିସକୁ କହିଛି ପବନ। ପୁଲିସର କହିବା ମୁତାବକ, ନକଲି ନୋଟ ସହ ପବନ ଧରାପଡ଼ିବା ପରେ ତାଙ୍କ ଘରର ତଲାସୀ ନେବାକୁ ଆମେ ଯାଇଥିଲୁ। ସେଠାରେ ଛାନଭିନ କରାଯାଉଥିବା ବେଳେ ପାଣି ଟାଙ୍କିରେ ନକଲି ନୋଟ ଥିବ ଭାବି ଆମେ ଏହାକୁ ଖୋଲିଥିଲୁ। ହେଲେ ଭିତରର ଦୃଶ୍ୟ ଦେଖି ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ। ନକଲି ନୋଟ ପରିବର୍ତ୍ତେ ଭିତରେ ଥିଲା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଶରୀର। ଏହା ପରେ ପବନ ସବୁ ସତ ମାନିଥିଲା।

ବିବାହ ପରେ ପବନଙ୍କର ଦୁଇଟି ସନ୍ତାନ ଥିବା ବେଳେ ମନରେ ଥିବା ସନ୍ଦେହ ଆଜି ତାଙ୍କୁ ହତ୍ୟାକାରୀ ସଜାଇଛି। ପରିବାର ସହ ଜୀବନକୁ ଉପଭୋଗ କରିବା ପରିବର୍ତ୍ତେ ନିଜର ଏହି ପଦ‌କ୍ଷେପ ପାଇଁ ଏବେ ସେ ଜେଲରେ ରହିବେ।

ସମ୍ବନ୍ଧିତ ଖବର