ବିଟ୍‌କଏନ୍‌ ନାଁରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଠକେଇ

ଦୁଇ ଦଲାଲ ଅଟକ, ୫୦ ହଜାର ଟଙ୍କା ଓ ୫ ମୋବାଇଲ୍‌ ଜବତ

ଭୁବନେଶ୍ୱର : ବିଟ୍‌କଏନ୍‌ ନାଁରେ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ଅଭିଯୋଗରେ ନୟାପଲ୍ଳୀ ଥାନା ପୁଲିସ ୨ ଜଣ ଦଲାଲଙ୍କୁ ଗିରଫ କରିିଛି। ସେମାନେ ହେଲେ ଖୋର୍ଧା ଜିଲ୍ଲା ଜଙ୍କିଆ ଅଞ୍ଚଳର ମୁଖ୍ୟ ଅଭିଯୁକ୍ତ ଶିବପ୍ରସାଦ ବିଶ୍ୱାଳ ଓରଫ ଶିବ ଓ ସହଯୋଗୀ କେନ୍ଦ୍ରାପଡ଼ା ଅଞ୍ଚଳର ରାକେଶ ଆଚାର୍ଯ୍ୟ। ପୁଲିସ ଉଭୟଙ୍କଠାରୁ ନୟାପଲ୍ଲୀ ଥାନା ପୁଲିସ ୫୦ ହଜାର ଟଙ୍କା ଓ ୫ଟି ମୋବାଇଲ୍‌ ଜବତ କରିଛି।

ପୁଲିସ ସୂଚନା ମୁତାବକ, ଗତ କିଛିଦିନ ହେବ ଶିବ ଓ ରାକେଶ ରାଜଧାନୀରେ ବିଟ୍‌କଏନ୍‌ ନାଁରେ ଲୋକଙ୍କୁ ଠକି ଆସୁଥିଲେ। ଲୋକମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଲାଭ ମିଳିବାର ଲୋଭ ଦେଖାଇ ବିଟ୍‌କଏନ୍‌ କିଣେଇଥିଲେ। କିଛି ଦିନ ତଳେ ସେମାନେ କାହ୍ନ ଚରଣ ପ୍ରଧାନ ଓ ସୁକାନ୍ତ ବିଶ୍ୱାଳଙ୍କୁ ବିଟ୍‌ କଏନ୍‌ କିଣି ଦେବେ ବୋଲି କହିଥିଲେ। ସେମାନଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ସୁକାନ୍ତ ଓ କାହ୍ନଙ୍କ ସହ ଏକ ତାରକା ହୋଟେଲ୍‌ରେ ଡିଲ୍‌ କରିଥିଲେ ଏବଂ ଉଭୟଙ୍କୁ ବିଟ୍‌ କଏନ୍‌ରେ ୧୫ଲକ୍ଷ ଟଙ୍କା ନିବେଶ କରିବାକୁ କହିଥିଲେ। ସେମାନଙ୍କ କଥାରେ ବିଶ୍ୱାସ କରି ସୁକାନ୍ତ ଓ କାହ୍ନ ବିଟ୍‌ କଏନ୍‌ରେ ଟଙ୍କା ନିବେଶ କରିଥିଲେ। ହେଲେ କିଛି ଦିନ ପରେ ସୁକାନ୍ତ ଓ କାହ୍ନ ଶିବ ଓ ରାକେଶଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରିିଥିଲେ ହେଁ ଦୁହେଁ ଧରାଛୁଆଁ ଦେଇ ନଥିଲେ କି ଟଙ୍କା ଫେରାଇ ନଥିଲେ। ଏନେଇ ସୁକାନ୍ତ ଓ କାହ୍ନ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।

କେମିତି ଧରାପଡ଼ିଲେ

ଆଜି ଶିବ ଓ ରାକେଶ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରେ ରହିଥିଲେ। ଆଉ କେତେକ ଗ୍ରାହକଙ୍କୁ ବିଟ୍‌କଏନ୍‌ରେ ଟଙ୍କା ନିବେଶ କରିବା ପାଇଁ ସେଠାକୁ ଡକାଇଥିଲେ। ସେମାନଙ୍କୁ ମଧ୍ୟ ଟଙ୍କା ନିବେଶର ୩/୪ଗୁଣା ଟଙ୍କା ଫେରସ୍ତ ମିଳିବ ବୋଲି ଲୋଭ ଦେଖାଇଥିଲେ। ତେବେ ଶିବ ଓ ରାକେଶ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଜାଣିବାକୁ ପାଇ କାହ୍ନ ନିଜର ଜଣେ ସମ୍ପର୍କୀୟଙ୍କୁ ସେଠାକୁ ପଠାଇଥିଲେ ଏବଂ ଶିବ ଓ ରାକେଶଙ୍କ ସହ ଟଙ୍କା ନିବେଶ ପାଇଁ କଥା ହୋଇଥିଲେ। ଏହାପରେ ଏ ନେଇ ତୁରନ୍ତ ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ଉଭୟଙ୍କୁ ଗିରଫ କରିଥିଲା।

ବିଟ୍‌କଏନ୍‌ କ’ଣ?

ବିଟ୍‌କଏନ୍‌ ଏକ ପ୍ରକାର ଭର୍ଚୁଆଲ୍‌ ବ୍ୟାଙ୍କ ଖାତା ‘ଡିଜିଟାଲ୍‌ ୱାଲେଟ୍‌’ରେ ମହଜୁଦ୍‌ ରହିଥାଏ। ଡିଜିଟାଲ ୱାଲେଟ୍‌କୁ ବ୍ୟବହାର କରି ଜଣେ ଜିନିଷ କିଣିବାରେ ଏହାକୁ ବ୍ୟବହାର କରିପାରିବ କିମ୍ବା ନିଜର ଅର୍ଥକୁ ବିଟ୍‌କଏନ୍‌ ଆକାରରେ ସଞ୍ଚୟ କରିପାରିବ। ଏବେ ଏହାକୁ ସାରା ବିଶ୍ୱର ବ୍ୟବସାୟୀମାନେ ଜିନିଷପତ୍ର କିଣାଠାରୁ ଆରମ୍ଭ କରି ଟ୍ରେନ୍‌ ଟିକେଟ୍‌, ସପିଂ କରିବା ପାଇଁ ବ୍ୟବହାର କରୁଛନ୍ତି। ଲୋକମାନେ ବିଭିନ୍ନ ଦେଶର ମୁଦ୍ରାକୁ ବ୍ୟବହାର କରି ଏକ୍ସଚେଞ୍ଜରେ ବିଟ୍‌କଏନ୍‌ କିଣିପାରିବେ। ଏପରିକି ମୋବାଇଲ ଆପ୍‌ ଓ କମ୍ପ୍ୟୁଟର ଜରିଆରେ ଲୋକମାନେ ଜଣେ ଅନ୍ୟକୁ ବିଟ୍‌କଏନ୍‌ ପଠାଇପାରିବେ।

ସମ୍ବନ୍ଧିତ ଖବର