ଯୁବତୀଙ୍କୁ ପ୍ରତାରଣା ଅଭିଯୋଗ: ନିଲମ୍ବିତ ଛାତ୍ର ବିଜେଡି ସଭାପତି ଗିରଫ

ଯାଜପୁରଟାଉନ/ବିଂଝାରପୁର: ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରିବା ଅଭିଯୋଗରେ ନିଲମ୍ବିତ ଯାଜପୁର ଜିଲ୍ଲା ଅନ୍ତର୍ଗତ ବିଂଝାରପୁର ବ୍ଲକ୍‌ ଛାତ୍ର ବିଜେଡି ସଭାପତି ଜିତେନ୍ଦ୍ର ପ୍ରଧାନଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ବିଂଝାରପୁର ଥାନା କଏଣା-ରଘୁନାଥପୁର ପଞ୍ଚାୟତର ଜ‌ଣେ ଯୁବତୀ(୨୧) ଜିତେନ୍ଦ୍ରଙ୍କ ନାଁରେ ଅଭିଯୋଗ କରିଥିଲେ ଯେ, ବିବାହ ପ୍ରଲୋଭନ ଦେଖାଇ ୭ ବର୍ଷ ହେଲା ସେ ବିଭିନ୍ନ ସ୍ଥାନକୁ ନେଇ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ଅନ୍ୟତ୍ର ବିବାହ କରିବାକୁ ସ୍ଥିର କରିଥିଲେ। ଏସମ୍ପର୍କରେ ତାଙ୍କ ପରିବାର ଲୋକ ପଚାରିବାରୁ ଧମକ ଦେବା ସହିତ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ଛାଡ଼ିଦେବାକୁ ଧମକ୍‌ ଦେଇଥିଲା।

ଏ ସମ୍ପର୍କରେ ସମ୍ପୃକ୍ତ ପୀଡ଼ିତା ବିଂଝାରପୁର ଥାନାରେ ଅଭିଯୋଗ କରିଥିଲେ। ଥାନା କେସ୍‌ ନମ୍ବର ୨୫୧/୧୯ରେ ମାମଲା ରୁଜୁ କରି ପୁଲିସ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଇଥିଲା। ହେଲେ ଅଭିଯୁକ୍ତ ଜିତେନ୍ଦ୍ର ଫେରାର ହୋଇଯାଇଥିଲେ। ଗତକାଲି ରାତିରେ ଜିତେନ୍ଦ୍ରଙ୍କୁ ପୁଲିସ ପାଣିକୋଇଲି ଛକରୁ ଗିରଫ କରିଥିଲା। ଆଜି ତାଙ୍କୁୁ ଯାଜପୁର ସ୍ବତନ୍ତ୍ର ପୋକ୍ସୋ ଅଦାଲତରେ ହାଜର କରାଯାଇଥି‌ଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ପ୍ରକାଶଥାଉକି, ଏହି ଘଟଣା ପରେ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା।

ସମ୍ବନ୍ଧିତ ଖବର