ସୋନାଲୀ ଫୋଗଟ୍‌ଙ୍କ ମୃତ୍ୟୁ ହୋଇଥିବା ହୋଟେଲ୍‌ ଉପରେ ବୁଲ୍‌ଡୋଜର୍‌ ଚଢ଼ିବା ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ବିଜେପି ନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ସୋନାଲି ଫୋଗାଟଙ୍କ ମୃତ୍ୟୁକୁ ନେଇ ଏବେ ବି ତଦନ୍ତ ଜାରି ରହିଛି। ତେବେ ଯେଉଁଠାରେ ତାଙ୍କୁ ଶେଷଥର ଦେଖାଯାଇଥିଲା ଏବଂ ଯେଉଁ ‘କର୍ଲି କ୍ଲବ’ ହୋଟେଲରେ ତାଙ୍କୁ ଜବରଦସ୍ତ ଡ୍ରଗ୍ସ ଦିଆଯାଇଥିବା ନେଇ ସିସିଟିଭିରେ ଦେଖାଯାଇଥିଲା, ତାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ହୋଇଥିବା ବେଳେ ଏବେ ସେହି ହୋଟେଲ୍‌ ଉପରେ ବୁଲ୍‌‌ଡୋଜର୍‌ ଚଲାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ସୋନାଲୀ ଅଟକିଥିବା ‘କର୍ଲି କ୍ଲବ୍‌’କୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ନେସ୍‌ନାଲ୍‌ ଗ୍ରିନ୍‌ ଟ୍ରିବୁନାଲ୍‌ ଗୋଆସ୍ଥିତ ହୋଟେଲ୍ ‘କର୍ଲି କ୍ଲବ୍‌’ର ଧ୍ବଂସ ଉପରେ ରୋକ ଲଗାଇବା ‌ପାଇଁ ହୋଇଥିବା ଆବେଦନକୁ ଖାରଜ କରିବା ପରେ କ୍ଲବ୍‌କୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ନିର୍ମାଣ ପାଇଁ ଥିବା ନିୟମ ଉଲ୍ଲଂଘନ କରିଥିବାରୁ ଏହି କ୍ଲବକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ଏହି ନିର୍ଦ୍ଦେଶ ଗୋଆ କୋଷ୍ଟାଲ୍ ଜୋନ୍ ମ୍ୟାନେଜମେଣ୍ଟ ଅଥରିଟି ଦ୍ବାରା ଜାରି କରାଯାଇଛି, ଯାହାକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ସମର୍ଥନ ମିଳିଛି।

ତେବେ ସୋନାଲୀଙ୍କ ମୃତ୍ୟୁ ଘଟଣାରେ ଗୋଆ ପୁଲିସ ୫ଜଣଙ୍କୁ ଗିରଫ କରିସାରିଛି। ୫ଜଣଙ୍କ ମଧ୍ୟରେ ଡ୍ରଗ୍ସ ବ୍ୟବସାୟୀ ଏବଂ ସୋନାଲୀଙ୍କ ବ୍ୟକ୍ତିଗତ ସହାୟକ ରହିଛନ୍ତି। ପୁଲିସ ହାତରେ ଲାଗିଥିବା ସିସିଟିଭି ଭିଡିଓରେ, ସୋନାଲୀଙ୍କୁ ତାଙ୍କ ବ୍ୟକ୍ତିଗତ ସହାୟକ ଜବରଦସ୍ତ କିଛି ପିଆଉଥିବା ସହ ତାଙ୍କୁ ଶୌଚାଳୟ ଭିତରକୁ ଟାଣି ଟାଣି ନେଉଥିବାର ଦେଖାଯାଇଥିଲା। ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଜଣାପଡ଼ିଥିଲା ଯେ, ସୋନାଲୀଙ୍କ ମୃତ୍ୟୁ ହେବା ପୂର୍ବରୁ ସେ ଏକ ପାର୍ଟିରେ ଥିଲେ। ଏହି ପାର୍ଟିରେ ତାଙ୍କୁ ଜବରଦସ୍ତ ଡ୍ରଗ୍ସ ଦିଆଯାଇଥିଲା। ଏହି କାରଣରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ବାରର ଶୌଚାଳୟକୁ ନିଆଯାଇଥିଲା। ଭିତରେ ଦୁଇ ଘଣ୍ଟା କାଳ ସୋନାଲୀ ରହିଥିଲେ ବି ସେଠାରେ ତାଙ୍କ ସହ କ’ଣ ଘଟିଥିଲା, ତାହା ଜଣାପଡ଼ିନଥିବା କହିଛି ପୁଲିସ।

ସମ୍ବନ୍ଧିତ ଖବର