ନୋଏଡ଼ାରେ ବିଜେପି କର୍ମୀଙ୍କୁ ଗୁଳି ମାରି ହତ୍ୟା

ଗ୍ରେଟର୍‌ ନୋଏଡ଼ା: ଗୁରୁବାର ଅପରାହ୍ଣରେ ଗ୍ରେଟର୍‌ ନୋଏଡ଼ାର ବିସ୍‌ରାଖ୍‌ ଅନ୍ତର୍ଗତ ତିଗ୍ରି ଗ୍ରାମ ନିକଟରେ ଜଣେ ୪୦ ବର୍ଷିୟ ବିଜେପି କର୍ମୀ ଏବଂ ତାଙ୍କ ଡ୍ରାଇଭରଙ୍କୁ ୪ ଜଣ ବାଇକ୍‌ ଆରୋହୀ ଅଚାନକ୍‌ ଗୁଳିକରି ହତ୍ୟା କରିଛନ୍ତି। ଗୁଳି ଚଳାଯିବାର କେଇ ମୁହୂର୍ତ୍ତ ପୂର୍ବରୁ, ବାଇକ୍‌ ଚାଳକଙ୍କ ଠାରୁ ଦ୍ରୁତ ଗତିରେ ସ୍ପୋର୍ଟସ୍‌ ୟୁଟିଲିଟି ଭେଇକ୍ଲଟିକୁ ଦୂରେଇ ନେବାକୁ ଉଦ୍ୟମ କରିବାବେଳେ ରାସ୍ତା ପାରି ହେଉଥିବା ଜଣେ ୧୪ ବର୍ଷୀୟ ବାଳିକା ଦେହରେ ଧକ୍କା ଦେଇଥିଲା। ଅଞ୍ଜଳି ନାମ୍ନୀ ସେ ୧୦ ଶ୍ରେଣୀର ଝିଅଟି ପାଖକୁ ଟିଉସନ୍‌ ପଢ଼ିବାକୁ ଯାଉଥିଲା। ସାଙ୍ଘାତିକ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ତା’ର ଦେହାନ୍ତ ହୋଇ ଯାଇଥିଲା। ଶିବ କୁମାର ଯାଦବ, ତାଙ୍କ ଡ୍ରାଇଭର୍‌ ୩୮ ବର୍ଷିୟ ବାଲ୍ଲି ନାଥ ଏବଂ ଅଙ୍ଗରକ୍ଷୀ ୪୦ ବର୍ଷିୟ ରାସ୍‌ପାଲ୍‌ଙ୍କୁ ଚିକିତ୍ସା ପାଇଁ ତୁରନ୍ତ ନୋଏଡ଼ାର ଫର୍ଟିସ୍‌ ହସ୍‌ପିଟାଲ୍‌କୁ ନିଆଯାଇଥିଲା।

ଯାଦବ ଏବଂ ନାଥଙ୍କୁ ମୃତାବସ୍ଥାରେ ଅଣାଯାଇଥିବା ଘୋଷଣା କରାଯାଇଥିଲା। ତିନୋଟି ଗୁଳି ଚୋଟ ଲାଗିଥିବା ରାସ୍‌ପାଲ୍‌ଙ୍କୁ ଜିଟିବି ହସ୍‌ପିଟାଲ୍‌କୁ ରେଫର୍‌ କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସାଙ୍ଘାତିକ ବୋଲି ଡାକ୍ତରମାନେ କହୁଛନ୍ତି।

Illustration Courtesy of TOI

ପାଖ ଗ୍ରାମ ହୈବତ୍‌ପୁରରେ ଯାଦବଙ୍କର ‘ମା ଭଗବତୀ ପବ୍ଲିକ୍‌ ସ୍କୁଲ୍‌’ ନାମରେ ଏକ ସ୍କୁଲ୍‌ ଅଛି। ସେହି ଅଞ୍ଚଳରେ ‘ବାଲା ଦେବୀ ପବ୍ଲିକ୍‌ ସ୍କୁଲ୍‌’ ନାମରେ ଅନ୍ୟ ଏକ ସ୍କୁଲ୍‌ ସେ ନିର୍ମାଣ କରାଉଥିଲେ। ତାଙ୍କର ଗାଜିଆବାଦସ୍ଥିତ ପ୍ରତାପ ବିହାରରେ ଏକ ଘର ଅଛି। ସେଠାରେ ତାଙ୍କ ପତ୍ନୀ ନୀଲମ୍‌, ତିନି ପୁତ୍ର ଏବଂ ଗୋଟିଏ ଝିଅ ରହନ୍ତି। ଯାଦବଙ୍କ ପତ୍ନୀ ନୀଲମ୍‌ କହନ୍ତି, ତାଙ୍କ ସ୍ୱାମୀ ଅପରାହ୍ଣରେ ଘରୁ ସ୍କୁଲ୍‌କୁ ଯାଇଥିଲେ। ଠିକ୍‌ ସମୟରେ ଫେରିଆସିବେ ବୋଲି କହି ଯାଇଥିଲେ।

ଆମେ ଜାଣୁନା ଆମ ଉପରେ କେମିତି ଏ ବିପତ୍ତି ପଡ଼ିଲା। ଗୁରୁବାର ପ୍ରାୟ ସାଢ଼େ ଦୁଇଟାବେଳେ ଯାଦବ ଦୁଇ ସହଯୋଗୀଙ୍କ ସହ ଧଳା ଫର୍ଚ୍ୟୁନର୍‌ ଗାଡ଼ିରେ ସ୍କୁଲ୍‌ରୁ ଗାଜିଆବାଦସ୍ଥିତ ଘରକୁ ଫେରୁଥିଲେ।

Illustration Courtesy of TOI

ଯାଦବ ଏବଂ ରାସ୍‌ପାଲ୍‌ ପଛ ସିଟ୍‌ରେ ବସିଥିଲେ ଏବଂ ନାଥ ଗାଡ଼ି ଚଳାଉଥିଲା। ସ୍ଥାନୀୟ ଲୋକେ କହନ୍ତି, ଦୁଇଟି ବାଇକ୍‌ ଆରୋହଣ କରି ୪ ଜଣ ବ୍ୟକ୍ତି ହୈବତ୍‌ପୁର ଗାଁର ଏକ ଗଳିରୁ ଏସ୍‌ୟୁଭିର ପିଛା କଲେ।

ଏସ୍‌ୟୁଭି ଡ୍ରାଇଭର୍‌ ବିପଦ୍‌ର ଆଭାସ ପାଇ ଦ୍ରୁତ ଗତିରେ ଗାଡ଼ି ଚଳାଇଲା। ସେତିକିବେଳେ ରାସ୍ତା ପାରି ହେଉଥିବା ଜଣେ ୧୪ ବର୍ଷୀୟ ଝିଅ ଉପରେ ତାହା ଧକ୍କା ଖାଇଥିଲା। ତାକୁ ନୋଏଡ଼ାସ୍ଥିତ ଇଏସ୍‌ଆଇସି ହସ୍‌ପିଟାଲ୍‌କୁ ନିଆଯାଇଥିଲା, କିନ୍ତୁ, ସେଠାରେ ତା’ର ଦେହାନ୍ତ ହୋଇଯାଇଥିଲା। ପ୍ରାୟ ୫୦୦ ମିଟର ଯାଏଁ ଅପରାଧୀମାନେ ଏସ୍‌ୟୁଭିଟିକୁ ଅନୁସରଣ କଲେ। ତା’ପରେ ସେମାନେ ଏସ୍‌ୟୁଭିର ବାମ ଟାୟାର୍‌କୁ ଗୁଳି କରି ପଙ୍କ୍‌ଚର୍‌ କରିଦେଲେ। ଫଳତଃ, ଡ୍ରାଇଭର୍‌ ସନ୍ତୁଳନ ହରାଇ ତିଗ୍‌ଡ଼ି ଗାଁ କଟ୍‌ରେ ଥିବା ଡିଭାଇଡର୍‌ରେ ଧକ୍କା ଖାଇଥିଲା।
ଅପରାଧୀମାନେ ଏସ୍‌ୟୁଭିକୁ ଟପି ଯାଇ ପ୍ରଥମେ ଡ୍ରାଇଭର୍‌ ପେଟକୁ ଗୁଳି ମାରିଥିଲେ। ଉଭୟ ପଟୁ ଏସ୍‌ୟୁଭିଟିକୁ ଘେରିଯାଇ ଅପରାଧୀମାନେ ଅତି ନିକଟରୁ ଗୁଳି ବର୍ଷଣ କରି ଯାଦବ ଏବଂ ନାଥଙ୍କୁ ହତ୍ୟା କରିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହନ୍ତି।

Illustration Courtesy of TOI

ନୋଏଡ଼ାର ଏସ୍‌ଏସ୍‌ପି ଲଭ୍‌ କୁମାର କହନ୍ତି: ଅଭିଯୁକ୍ତମାନଙ୍କୁ ଧରିବା ନିମନ୍ତେ ପୁଲିସ ତଲାସ ଆରମ୍ଭ କରିଛି। ଆମେ ଘଟଣାସ୍ଥଳରେ କିଛି ଲୋକଙ୍କୁ ପଚରା ପଚରି କରିଛୁ। ଅପରାଧୀଗଣ ବାଇକ୍‌ରେ ଆସିଥିଲେ, ମନେ ହୁଏ ଅପରାଧରେ ସେମାନେ ପିସ୍ତଲ ବ୍ୟବହାର କରିଛନ୍ତି।
ତଦନ୍ତରୁ ଜଣାପଡ଼ିଛି ଖଣ୍ଡେ ଜମି ସମ୍ବନ୍ଧରେ ଯାଦବଙ୍କର ବିବାଦ ଥିଲା। ସେଥିଯୋଗୁଁ ପାଞ୍ଚ ବର୍ଷ ତଳେ ଜଣେ ଲୋକଙ୍କୁ ହତ୍ୟା କରାଯାଇଥିଲା। ସେ ମାମଲାରେ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଜେଲ୍‌ ଦଣ୍ଡ ଦିଆଯାଇଥିଲା।

ସମ୍ବନ୍ଧିତ ଖବର