ଧାନବାଦରେ ଯୁବକଙ୍କୁ ମାଡ଼ ଦେଇ ଛେପ ଚଟାଇବା ସହ ଜୟ ଶ୍ରୀରାମ କହିବାକୁ ବାଧ୍ୟ କଲେ ‘ବିଜେପି’ କର୍ମୀ

ଧାନବାଦ: ଝାଡ଼ଖଣ୍ଡର ଧାନବାଦରେ ‘ବିଜେପି’ କର୍ମୀମାନେ ଜଣେ ଯୁବକଙ୍କୁ ମାଡ଼ ଦେଇ, ଛେପ ଚଟାଇ, ଉଠ୍‌-ବସ୍‌ କରାଇବା ସହ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଛି। ଘଟଣାଟି ଶୁକ୍ରବାର ଦିନ ‘ବିଜେପି’ ସାଂସଦ ପି.ଏନ୍‌. ସିଂହ, ‘ବିଜେପି’ ବିଧାୟକ ରାଜ୍‌ ସିହ୍ନା ଏବଂ ଅନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଘଟିଛି।

ପ୍ରାପ୍ତ ସୂଚନା ଅନୁସାରେ, ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାଗତ ତ୍ରୁଟି ଘଟଣାରେ ଧାନବାଦର ଗାନ୍ଧୀ ଛକରେ ‘ବିଜେପି’ କର୍ମୀମାନେ ପ୍ରତିବାଦ ପ୍ରଦର୍ଶନ କରୁଥିଲେ। ‘ବିଜେପି’ର ବରିଷ୍ଠ ନେତାମାନେ କହୁଛନ୍ତି, ସେତେବେଳେ ସେ ବାଟ ଦେଇ ଯାଉଥିବା ଜଣେ ବାଟୋଇ ‘ବିଜେପି’ ମୁଖ୍ୟ ଦୀପକ ପ୍ରକାଶ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କୁବାକ୍ୟ ପ୍ରୟୋଗ କରିଥିଲେ।

Image Courtesy of India Today

ତେଣୁ, ‘ବିଜେପି’ କର୍ମୀମାନେ ଯାଇ ସେ ବ୍ୟକ୍ତିଙ୍କୁ ମାରଧର କଲେ। ସେଠାରେ ଥିବା ଟ୍ରାଫିକ୍‌ ପୁଲିସ ମଧ୍ୟ ନିରବ ଦର୍ଶକ ସାଜି ରହିଲେ। ସଂଖ୍ୟାଲଘୁ ସଂପ୍ରଦାୟର ଉକ୍ତ ବ୍ୟକ୍ତିଜଣକ କ‌ୌଣସି ମତେ ଘଟଣାସ୍ଥଳରୁ ଖସି ପଳାଇବାରେ ସମର୍ଥ ହୋଇଥିଲେ। କିନ୍ତୁ, ଉକ୍ତ ମାରଧର ଘଟଣାର ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ଏଭଳି କାଣ୍ଡ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଟୁଇଟ୍‌ କରି ପ୍ରତିଶ୍ରୁତି ଦେଇଛନ୍ତି। ଘଟଣାର ତଦନ୍ତ କରି ଦୋଷୀମାନଙ୍କ ପ୍ରତି ବିହିତ ଶାସ୍ତି ବିଧାନ କରିବା ଲାଗି ସେ ସରକାରୀ ଅଧିକାରୀମାନଙ୍କୁ ନିର୍ଦେଶ ମଧ୍ୟ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଭାଇରାଲ୍‌ ହୋଇଥିବା ଭିଡିଓ ଆଧାରରେ ଦୁଇଜଣ ‘ବିଜେପି’ କର୍ମୀଙ୍କ ଘରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର