ଖଣ୍ଡଗିରି: ଭୁବନେଶ୍ବର ଏମ୍ସରେ ଭଲ ଚାକିରିର ଲୋଭ ଦେଖାଇ ମହିଳାଙ୍କ ସହ ସମ୍ପର୍କ ଗଢ଼ିବା ଓ ପରେ ତାଙ୍କ ବାଥ୍ରୁମ୍ ନଗ୍ନ ଫଟୋ ହାତେଇ ବ୍ଲାକ୍ମେଲିଂ କରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛି। ଅଭିଯୁକ୍ତ ହେଲେ, ଖଣ୍ଡଗିରି ଥାନା ସିଜୁଆ ଅଞ୍ଚଳର ବୈକୁଣ୍ଠ ଖେଳୁୱାଡ୍ସିଂହ ଓରଫ ବାବୁନା(୩୦)। ଅଭାବଗ୍ରସ୍ତ ଜଣେ ମହିଳାଙ୍କ ଦୁର୍ବଳତାର ସୁଯୋଗ ନେଇ ଏଭଳି ଘୃଣ୍ୟ କାଣ୍ଡ ଭିଆଇଥିବା ବାବୁନାର ଜାମିନ୍ ନାମଞ୍ଜୁର ଯୋଗୁଁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ସୂଚନାନୁସାରେ ଡୁମୁଡୁମା ହାଉସିଂବୋର୍ଡ କଲୋନିରେ ରହୁଥିବା ଏକ ଦମ୍ପତି ଭୁବନେଶ୍ବର ଏମ୍ସ ନିକଟରେ ଏକ ଘରୋଇ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ସେଠାରେ ବାବୁନା ସହ ସେମାନଙ୍କର ପରିଚୟ ହୋଇଥିଲା। ତେବେ ମହିଳା ସୁରକ୍ଷାକର୍ମୀ ଜାନି(ଛଦ୍ମନାମ)ଙ୍କ ସହ ବାବୁନାର ଘନିଷ୍ଠତା ଅଧିକ ଥିଲା। ଭୁବନେଶ୍ବର ଏମ୍ସରେ ଏକ ଭଲ ଚାକିରି ଯୋଗାଡ଼ କରିଦେବ ବୋଲି କହିବା ପରେ ବାବୁନା ଜାନିଙ୍କର ନିକଟତର ହୋଇଥିଲା। ଏହି ମଉକାରେ ବାବୁନା ବାଥ୍ରୁମ୍ ଭିତରେ ଜାନିଙ୍କ ଗାଧୁଆ ବେଳର କିଛି ଫଟୋ ଓ କିଛି ଭିଡିଓ ହାତେଇ ନେଇଥିଲା। ପରେ ଉକ୍ତ ସମସ୍ତ ଫଟୋ ଓ ଭିଡିଓରୁ ନେଇଥିବା ସ୍କ୍ରିନ୍ ସଟ୍କୁ ଦେଖାଇ ସେ ଜାନିଙ୍କୁ ବ୍ଲାକ୍ମେଲ୍ କରିବା ଆରମ୍ଭ କରିଦେଲା। ତା’ କଥାରେ ରାଜି ନହେଲେ ଚାକିରି ତ କରାଇ ଦେବନି, ପାଲଟା ନଗ୍ନ ଫଟୋକୁ ଫେସ୍ବୁକ୍ରେ ଭାଇରାଲ୍ କରିବ ବୋଲି ଧମକ ଦେଲା। ଭଲ ଚାକିରି ଲୋଭ ଓ ଅପବାଦକୁ ଡରି ବିଚାରି ଜାନି ଏ ବାବଦରେ ମୁହଁ ବନ୍ଦ କରି ରଖିବାକୁ ଉଚିତ୍ ମଣିଥିଲେ।
ମାତ୍ର ଗତ ବୁଧବାର ସବୁ ସୀମା ଟପିବାରୁ ଜାନି ଏହି ଅଧ୍ୟାୟରେ ପୂର୍ଣଚ୍ଛେଦ ପକାଇବାକୁ ମନସ୍ଥ କରି ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ। ତଦନ୍ତ ଅଧିକାରୀ ବାବୁନାର ମୋବାଇଲ୍ ଯାଞ୍ଚ କରିବା ପରେ ସବୁ ସତ ଧରା ପଡ଼ିଥିଲା।