ହ୍ଵାଟ୍ସ ଆପ୍‌’ରେ ଯୁବତୀଙ୍କୁ ଧମକ: ଇଂଜିନିୟରିଂ ଛାତ୍ର ଜେଲ୍‌ ଗଲେ

କୁଆରମୁଣ୍ଡା/ରାଉରକେଲା: ହ୍ଵାଟ୍ସ ଆପ୍‌ ଓ ମୋବାଇଲ୍‌ ଫୋନ୍‌ରେ ଜଣେ ଯୁବତୀଙ୍କୁ ଅଶ୍ଳିଳ ବାର୍ତ୍ତା (ଏସ୍‌ଏମ୍‌ଏସ୍‌) ଓ ଧମକ ଦେଇଥିବା ଅଭିଯୋଗରେ ବୀରମିତ୍ରପୁରର ଜଣେ ଇଂଜିନିୟର ଛାତ୍ର ଜେଲ୍‌ ଯାଇଛନ୍ତି। ବୀରମିତ୍ରପୁର ରବିବାର ବଜାର ଅଞ୍ଚଳର ଶଙ୍କର ପାଣ୍ଡେଙ୍କ ପୁଅ ଜୟନ୍ତ (୧୯) ଜଟଣୀସ୍ଥିତ ଏକ ବିଶ୍ୱବିଦ୍ୟାଳୟରେ ଇଂଜିନିୟରିଂ ଛାତ୍ର। ଉକ୍ତ କଲେଜରେ ତାଙ୍କ ସହପାଠୀ କୁଆରମୁଣ୍ଡାର ଜଣେ ଛାତ୍ରୀଙ୍କୁ ସେ ହ୍ଵାଟ୍‌ସ ଆପ୍‌ ଓ ମୋବାଇଲ୍‌ରେ ବାରମ୍ବାର ଅଶ୍ଳିଳ ଓ ଧମକପୂର୍ଣ୍ଣ ବାର୍ତ୍ତା ଦେଇଆସୁଥିଲେ। ଯୁବତୀ ଜଣଙ୍କ ବିଭିନ୍ନ ସମୟରେ ଆସିଥିବା ବାର୍ତ୍ତାକୁ ଏକଜୁଟ୍‌ କରି ୧୮ ପୃଷ୍ଠାର ପ୍ରମାଣ ସହିତ ଗତକାଲି କୁଆରମୁଣ୍ଡା ଫାଣ୍ଡିରେ ଏତଲା ଦେଇଥିଲେ। ବୀରମିତ୍ରପୁର ଥାନା ଅଧିକାରୀ ଦେବୀ ପ୍ରସାଦ ଦାଶଙ୍କ ନିର୍ଦେଶକ୍ରମେ କୁଆରମୁଣ୍ଡା ଫାଣ୍ଡି ମାମଲା ରୁଜୁ କରି ଜୟନ୍ତକୁ ଗିରଫ ଆଜି ଗିରଫ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏହି ଏତଲାରେ ଜୟନ୍ତଙ୍କ ବାପାଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି।ପୂର୍ବରୁ ସମ୍ପୃକ୍ତ ପୀଡ଼ିତା ଛାତ୍ରୀ ୨୦୧୭ ନଭେମ୍ବର ୨୨ରେ ରାଉରକେଲା ମହିଳା ଥାନାରେ ଏତଲା ଦେଇଥିଲେ। ପୁଲିସ ଜୟନ୍ତ ଓ ତାଙ୍କ ପରିବାରର ୩ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା। ସମସ୍ତେ ହାଇକୋର୍ଟରୁ ଜାମିନରେ ଆସିଛନ୍ତି।

ସମ୍ବନ୍ଧିତ ଖବର