ଭୁବନେଶ୍ୱର: ନୂଆପଲ୍ଲୀ ଆଇଆର୍ସି ଭିଲେଜ୍ର ଜଣେ ଯୁବତୀଙ୍କ ସହ ଶାରୀରୀକ ସମ୍ପର୍କ ରଖିବାକୁ ଯୁବକଙ୍କ ବ୍ଲାକମେଲିଂ ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ଏନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଯୁବତୀ ଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ପାଖାପାଖି ୪ ବର୍ଷ ତଳେ ଏକ ଉତ୍ସବରେ ଗଡସାହିର ସୁଶୀଲ ନାମକ ଜଣେ ଯୁବକଙ୍କ ସହ ଯୁବତୀଙ୍କ ଭେଟିଥିଲେ। ସେଠାରେ ସୁଶୀଲ ତାଙ୍କଠୁ ମୋବାଇଲ୍ ନମ୍ବର ମାଗିଥିଲେ। ଯୁବତୀ ଜଣଙ୍କ ନମ୍ବର ମଧ୍ୟ ଦେଇଥିଲେ। ସୁଶୀଲ ନମ୍ବର ପାଇବା ମାତ୍ରେ ଯୁବତୀଙ୍କୁ ବାରମ୍ବାର ଫୋନ୍ କରିଥିଲେ। ମିଠା ମିଠା କଥା କହି ତାଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ଏମିତି ଢ଼ଙ୍ଗରେ ତାଙ୍କ ସହ ୩ ବର୍ଷ ଧରି ପ୍ରେମ ସମ୍ପର୍କ ରଖିଥିଲେ। କିଛିଦିନ ପରେ ସୁଶୀଲ ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇଥିଲେ। ଯୁବତୀ ଜଣଙ୍କ ସୁଶୀଲଙ୍କ ଏଭଳି କଥା ଜାଣିବା ପରେ ସୁଶୀଲଙ୍କ ସହ ଝଗଡା ହୋଇଥିଲା। ପରିବାର ଲୋକଙ୍କୁ ଏ ବିଷୟରେ ଅବଗତ କରାଇ ଯୁବତୀ ଜଣକ ତାଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ।
ହଠାତ୍ କିଛିଦିନ ତଳେ ସୁଶୀଲ ଯୁବତୀକୁୁ ବାରମ୍ବାର ଫୋନ୍ କରି ଦେଖା କରିବାକୁ ବାଧ୍ୟ କରିଥିଲେ। ହେଲେ ଯୁବତୀ ଭେଟିବା ପାଇଁ ରୋକଠୋକ୍ ମନା କରିଥିଲେ। ହଠାତ୍ ଦିନେ ଯୁବତୀଜଣକ ଏକ ସପିଂ ମଲ୍ରେ ସପିଂ କରୁଥିବା ବେଳେ ସୁଶୀଲ ତାଙ୍କୁ ଭେଟିଥିଲେ। ସେଠାରେ ଯୁବତୀଙ୍କ ସହ ପୁଣି ପ୍ରେମସମ୍ପର୍କ ରଖିବାକୁ ଜିଦି ଧରିଥିଲେ ସୁଶୀଲ। କହିଥିଲେ, ‘ସେ ଯୁବତୀ ଜଣକ ମତେ ଧୋକ୍କା ଦେଲା। ତା’ର ଆଉ କାହା ସହ ପ୍ରେମ ଚାଲିଛି। ଏବେ ତୁ ମୋ ସହ ସମ୍ପର୍କ ରଖ।’ ତାଙ୍କର ଏଭଳି ପ୍ରସ୍ତାବକୁ କିନ୍ତୁ ଯୁବତୀ ଜଣକ ଏଡେଇ ଯାଇଥିଲେ। ତାଙ୍କ ସହ ପୁନଃ ସମ୍ପର୍କ ରଖିବାକୁ ରୋକ୍ଠୋକ୍ ମନା କରିଥିଲେ। ବାସ୍ ଏତିକିରେ ସୁଶୀଲ ରାଗିଯାଇ ଥିଲା। ସେବେଠୁ ପ୍ରତିଦିନ ମୋବାଇଲ୍ ଫୋନ୍ କରି ସେ ଯୁବତୀଙ୍କୁ ଧମକାଉଛନ୍ତି। ଅନ୍ତରଙ୍ଗ ମୂର୍ହୁର ଫଟୋକୁ ଭାଇରାଲ୍ କରିବାକୁ ଧମକାଇଥିଲା। ଏମିତିକି ସୁଶୀଲ ଯୁବତୀଙ୍କ ଅଫିସ୍ ସାମ୍ନାରେ ଘଣ୍ଟା ଘଣ୍ଟା ଧରି ଜଗି ରହି ହଇରାଣ ହରକତ କରୁଥିବା ଯୁବତୀ କହିଛନ୍ତି।