ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଏକ ହେଟେଲ ରୁମରେ ଯୁବକ ଓ ଯୁବତୀଙ୍କ ଫଟୋ ଉଠାଇ ବ୍ଲାକମେଲ କରାଯିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଏକ ହୋଟେଲର ଓୟୋ ରୁମରେ । ସଂପୃକ୍ତ ଯୁବତୀଙ୍କ ଅଭିଯୋଗ ଅନୁସାରେ, ସେ ହୋଟେଲ ରୁମ ଭଡାରେ ନେଇ ରହିଥିଲେ । ତେବେ ଘରକୁ ଫେରିବା ପରେ ତାଙ୍କ ନିକଟକୁ ବିଭିନ୍ନ ଅଜଣା ନମ୍ବରରୁ ଫୋନ କଲ ଆସିଥିଲା। କଲ୍ କରୁଥିବା ଜଣେ ବ୍ୟକ୍ତି କହିଥିଲେ କି ହୋଟେଲ ରୁମରେ ଯୁବତୀ ଥିବା ସମୟର ଭିଡିଓ ସେ ଉତ୍ତୋଳନ କରିଛନ୍ତି। ଦାବି କରିଥିବା ମୁତାବକ ଟଙ୍କା ନ ମିଳିଲେ ଉକ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ କରିଦେବେ। ଅସଲରେ ହୋଟେଲରେ କିଛି କର୍ମଚାରୀ ସଂପୃକ୍ତ ଯୁବତୀଙ୍କୁ ବ୍ଲାକମେଲ କରିଥିଲେ। ଏ ନେଇ ସେମାନେ ୫୦ ହଜାର ଟଙ୍କା ଦାବି ମଧ୍ୟ କରିଥିଲେ ।
ଏହାପରେ ଯୁବତୀ ଜଣକ ବ୍ଲାକମେଲରଙ୍କ କଥାରେ ରାଜି ହୋଇ ୨୦,୦୦୦ ଟଙ୍କା ଦେବେ ବୋଲି କହିଥିଲେ। ଏଥିସହ ନିଜ ସାଙ୍ଗସାଥୀଙ୍କୁ ବ୍ଲାକମେଲ ବିଷୟରେ ଜଣାଇ ଦେଲେ। ବ୍ଲାକମେଲ କରୁଥିବା ହେଟେଲ୍ କର୍ମଚାରୀ ଟଙ୍କା ନେବାକୁ ଆସିଥିବା ବେଳେ ଯୁବତୀ ଓ ତାଙ୍କ ବନ୍ଧୁମାନେ ମିଶି ଧରିଥିଲେ। ଏହାପରେ ନୂଆପଲ୍ଲୀ ଥାନାରେ ବ୍ଲାକମେଲରକୁ ହାଜର କରିବା ସହ ଏତଲା ଦେଇଥିଲେ। ଯୁବତୀଙ୍କ କହିବା ଅନୁଯାୟୀ, ଜନ୍ମଦିନ ମନାଇବା ଲାଗି ସେ ହୋଟେଲକୁ ଯାଇଥିଲେ। ଏହାପରେ ଗତ ୮ ତାରିଖରେ ତାଙ୍କ ନିକଟକୁ ଫୋନ ଆସିଥିଲା।
ତେବେ ସଂପୃକ୍ତ ଯୁବତୀଜଣକ ଥାନାରେ ଅଭିଯୋଗ କରିବା ପରେ ଘଟଣାଟି ସାମ୍ନାକୁ ଆସିଛି । ପୁଲିସ ନୟାପଲ୍ଲୀସ୍ଥିତ ସାଇ ଆର୍ଯ୍ୟ ରେସିଡେନ୍ସିର ଦୁଇଜଣ କର୍ମଚାରୀଙ୍କୁ ଅଟକ ରଖିଛି । ସେମାନେ ମୋବାଇଲ ଫୋନରେ ଉକ୍ତ ହୋଟେଲ୍ ରୁମରେ ଥିବା ଯୁବକ ଓ ଯୁବତୀଙ୍କ ଫଟୋ ଉଠାଇଥିବା ନେଇ କୁହାଯାଉଛି । ପୁଲିସ ସଂପୃକ୍ତ ହୋଟେଲକୁ ଯାଇ ଛାନଭିନ କରିଛି ।
ଏ ସଂପର୍କରେ ଓୟୋ ହୋଟେଲସ୍ ଆଣ୍ଡ୍ ହୋମସ୍ ପକ୍ଷରୁ କୁହାଯାଇଛି ଯେ କମ୍ପାନି ଏହାର ସମସ୍ତ ଅତିଥିଙ୍କ ଗୋପନୀୟତା, ସୁରକ୍ଷା ଓ ନିରାପତ୍ତା କୁ ନିଶ୍ଚିତ କରିବା ଲାଗି ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ହୋଟେଲରୁ କୌଣସି ଗୁପ୍ତ କ୍ୟାମେରା ମିଳିନାହିଁ । ଉକ୍ତ ଷ୍ଟାଫଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିସାରିଛୁ ଏବଂ ତାଙ୍କୁ ତୁରନ୍ତ ନିଲମ୍ବନ କରାଯାଇଛି । ଆମେ ଅତିଥିଙ୍କ ସହ ସଂସ୍ପର୍ଶରେ ଅଛୁ ଏବଂ ସବୁ ପ୍ରକାର ସମ୍ଭବ ସହାୟତା ପ୍ରଦାନ କରୁଛୁ । ଏ ସଂପର୍କରେ ଯେକୌଣସି ତଦନ୍ତରେ ସହଯୋଗ କରାଯିବ ବୋଲି ଓୟୋ କହିଛି ।