ହାଜତରେ ଥିବା ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଇନ୍‌ସପେକ୍ଟରଙ୍କ ସମେତ ୪ ଜଣଙ୍କ ନାମରେ ମାମଲା ରୁଜ୍ଜୁ

ବେଙ୍ଗାଲୁରୁ: ଏକ ଠକେଇ ମାମଲାରେ ଗିରଫ ହୋଇ ପୁଲିସ୍‌ ହାଜତରେ ଥିବା ଜନୈକା ୪୨ ବର୍ଷ ବୟସ୍କା ମହିଳାଙ୍କୁ ହାଜତ ଭିତରେ ନିର୍ଯାତନା ଦେବା ଅଭିଯୋଗରେ ଜଣେ ଇନ୍‌ସପେକ୍ଟରଙ୍କ ସମେତ ୪ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିବା ପାଇଁ କର୍ଣ୍ଣାଟକର ଏକ ଅଦାଲତ ବେଙ୍ଗାଲୁରୁ ପୁଲିସକୁ ନିର୍ଦ୍ଦେଶ ଦେବା ଘଟଣା ଏବେ ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣାର ବିବରଣୀରୁ ପ୍ରକାଶ, ବିଜୟାନଗର ଚତୁର୍ଥ ମେନର ଜନୈକା ମହିଳାଙ୍କୁ ଏକ ଠକେଇ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ଗିରଫ କରିଥିଲେ। ତେବେ, ସଂପୃକ୍ତା ଅଭିଯୁକ୍ତା ମହିଳା ଜଣକ ଗିରଫ ହୋଇ ଥାନା ହାଜତରେ ଥିବା କାଳରେ ବିଜୟନଗର ଥାନା ଇନସପେକ୍ଟରଙ୍କ ସମେତ ତାଙ୍କର ୪ ଜଣ ଅଧିକାରୀ ମହିଳା ଜଣଙ୍କୁ ହାଜତ ଭିତରେ ଅସଦାଚରଣ କରିଥିଲେ।

ଏହି ଘଟଣା ସଂପର୍କରେ ଅଭିଯୁକ୍ତା ମହିଳା ଜଣକ ପୁଲିସ କମିଶନରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ମହିଳା କମିଶନଙ୍କୁ ଜଣାଇବା ପରେ ମଧ୍ୟ ମହିଳାଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଶେଷରେ ଅଭିଯୁକ୍ତା ମହିଳା ଜଣକ ଅନୋନ୍ୟପାୟ ହୋଇ ଅଦାଲତଙ୍କ ଦ୍ୱାରସ୍ଥ ହେବା ପରେ ସଂପୃକ୍ତ ଇନ୍‌ସପେକ୍ଟରଙ୍କ ସମେତ ଅନ୍ୟ ୪ ଜଣ ପୁଲିସ ଅଧିକାରୀଙ୍କ ନାମରେ ମାମଲା ରୁଜ୍ଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଅଦାଲତଙ୍କ ଏହି ନିର୍ଦ୍ଦେଶ ପରେ ଭାରତୀୟ ଦଣ୍ଡବିଧି ଆଇନର ୩୫୪, ୩୪୧, ୩୫୨, ୨୨୦, ୩୫୪ ଓ ୫୦୬ ଦଫାରେ କର୍ଣ୍ଣାଟକ ପୁଲିସ ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର