ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଘଟଣା: କରୋନା ମୃତଦେହକୁ ପୋଲ ଉପରୁ ନଦୀକୁ ଫିଙ୍ଗିବାକୁ ଚେଷ୍ଟା କରୁଥିଲେ ସମ୍ପର୍କୀୟ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ବଳରାମପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ନଦୀରେ ମୃତଦେହକୁ ସମ୍ପର୍କୀୟ ଫୋପାଡି ଦେଉଥିବା ଘଟାଣା ଦେଖିବାକୁ ମିଳିଛି ।

ଏପରି ଘଟଣା ରାପ୍ତି ନଦୀ ସିସାଇ ଘାଟ ଉପରେ ଥିବା ବ୍ରିଜ ଉପରେ ଘଟିଥିବା କୁହାଯାଉଛି। ଏହି ଘଟଣାର ଏକ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ ହୋଇଥିବା ଭିଡିଓରେ ଦୁଇଜଣ ଯୁବକଙ୍କ ମଧ୍ୟରୁ ଜଣେ ପିପିଇ କିଟ୍ ପିନ୍ଧିଥିବା ବେଳେ ଅନ୍ୟଜଣେ ସାଧା ପୋଷାକରେ ରହିଥିବା ଦେଖିବାକୁ ମିଳୁଛି।

ଭିଡିଓ ଭାଇରାଲ ହେବା ପରେ ସାଧା ପୋଷାକ ପିନ୍ଧିଥିବା ଯୁବକଙ୍କର ନାମ ଚନ୍ଦ୍ର ପ୍ରକାଶ ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ଚନ୍ଦ୍ର ପ୍ରକାଶ କହନ୍ତି, ମୁଁ ଶବଦାହ କାମ କରେ। ମୋ ପାଖକୁ ଏକ ଫୋନ ଆସିଥିଲା। ଫୋନ କଲ ଉଠାଇବା ପରେ କିଛି ଲୋକ ମୋ‌ତେ ଏହି ବ୍ରିଜ ପାଖକୁ ଡାକିଥିଲେ। ଏହାପରେ ସେମାନେ ଏହି ମୃତଦେହକୁ ନଦୀ‌ରେ ଫିଙ୍ଗିବାକୁ କହିଥିଲେ।

ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ନିଶ୍ଚିତ କରିଛନ୍ତି ଯେ ଏହି ମୃତଦେହ ପ୍ରକୃତରେ କୋଭିଡ ରୋଗୀଙ୍କର। ଆଉ ତାଙ୍କ ସମ୍ପର୍କୀୟମାନେ ଏହି ମୃତଦେହକୁ ନଦୀରେ ପକାଇବାକୁ ଚେଷ୍ଟା କରୁଥିଲେ।। ପରିବାର ବିରୋଧରେ ଏକ ମାମଲା ରୁଜୁ ହେବା ପରେ ମୃତଦେହକୁ ପୁଣି ସେମାନଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା।

ବଳରାମପୁର ମୁଖ୍ୟ ଚିକିତ୍ସା ଅଧିକାରୀ ବି.ବି ସିଂ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ରୋଗୀଙ୍କୁ ୨୫ ମଇରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ତିନି ଦିନ ପରେ ୨୮ ମଇରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। କୋଭିଡ ପ୍ରୋଟୋକଲ ଅନୁଯାୟୀ ମୃତଦେହକୁ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାକୁ ନେଇ ମାମଲା ରୁଜୁ କରିବା ସହିତ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର