ବୋଲୋରୋ ଚୋରି କରିବା ପରେ ୧୦ଫୁଟ ଗଭୀର ଗାତ ଖୋଳି ପୋତି ଦେଇଥିଲା ଚୋର, ସତ୍ୟତା ଜାଣି ପୁଲିସ ହେଲା ଆଶ୍ଚର୍ଯ୍ୟ

ଜୟପୁର: ରାଜସ୍ଥାନର ବାଡମେରରେ ଜଣେ ଚୋରର କାରନାମା ଦେଖି ପୁଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଛି। କିଛି ଦିନ ହେବ ଚୋରି କରିଥିବା ଏକ ବୋଲୋରୋକୁ ଚୋର ୧୦ଫୁଟ ଗଭୀର ଗାତ କରି ତାର ତଳେ ଲୁଚାଇ ରଖିଥିଲା ବୋଲି ପୁଲିସ ପକ୍ଷରୁ ସୋମବାର ସୂଚନା ମିଳିଛି।

ସୂଚନାଯୋଗ୍ୟ, ଜୁନ୍‌ ୧୫ ତାରିଖରେ ବାବୁଲାଲ ସୋନି ନାମକ ବ୍ୟକ୍ତିଙ୍କ ବୋଲେରୋ ଗାଡ଼ି ଚୋରି ହୋଇଯାଇଥିଲା। ସେ ତାଙ୍କ ଗାଡ଼ିକୁ ବହୁ ଖୋଜାଖୋଜି କରିବା ପରେ ବି ପାଇ ନଥିଲେ। ପରେ ସେ ତାଙ୍କର ବୋଲେରୋ ଚୋରି ହୋଇ ଯାଇଥିବା ନେଇ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ବାବୁଲାଲଙ୍କ ବୋଲେରୋ ଚୋରି ଅଭିଯୋଗ ପରେ ଆଖପାଖର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା।

ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଜୁଜାରାମ ଜାଟ ନାମକ ବ୍ୟକ୍ତିକୁ ଗିରଫ କରିଥିଲା। ଏହାପରେ ଜୁଜାରାମକୁ ବୋଲେରୋ ଚୋରି ଘଟଣାକୁ ନେଇ ପୁଲିସ ଜେରା କରିବା ଆରମ୍ଭ କରି ଦେଇଥିଲା। ଏହି ଚୋରି ସମ୍ପର୍କରେ ସେ କିଛି ଜାଣି ନାହିଁ ବୋଲି ବାରମ୍ବାର ପୁଲିସକୁ କହିଥିଲା। ପୁଲିସ ଏହାପରେ ଜୁଜାରାମକୁ କଡାକଡ଼ି ଜେରା କରିବା ଆରମ୍ଭ କରି ଦେଇଥିଲା। ପୁଲିସ ଭୟରେ ସୋତିବେରି କେକଡରେ ବସବାସ କରୁଥିବା ଜୁଜାରାମ ଜାଟ ପୁଲିସ ଆଗରେ ସବୁ ସତ କଥା ବଖାଣି ଥିଲା।

ଜୁଜାରାମ ଯେଉଁ ସ୍ଥାନରେ ଗାଡ଼ି ଲୁଚାଇ ରଖିଥିଲା ସେହି ସ୍ଥାନ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲା। ପୁଲିସ ସେହି ସ୍ଥାନକୁ ଆସିଥିଲେ ହେଁ କିଛି ପାଇ ନ ଥିଲା। ଏହାପରେ ଜୁଜାରାମକୁ ଧରି ପୁଲିସ ଉକ୍ତ ସ୍ଥାନରେ ପହଞ୍ଚିଥିଲା। ଘଟଣାସ୍ଥଳରେ ପହଞ୍ଚିବା ପରେ ଚୋରି କରିଥିବା ବୋଲେରୋକୁ ସେ ୧୦ଫୁଟ ଗଭୀର ଗାତ କରି ପୋତି ଦେଇଥିବା କଥା ପୁଲିସକୁ କହିଥିଲା। ପ୍ରଥମେ ପୁଲିସ ଉକ୍ତ ଯୁବକର କଥାକୁ ବିଶ୍ୱାସ କରି ନଥିଲା। ଭାବିଲା ବୋଧ ହୁଏ ପୁଲିସ ମାଡ ଭୟରେ ସେ ଏପରି ମିଛ କଥା କହୁଛି। କିନ୍ତୁ ଜୁଜାରାମ କହିଥିବା ସ୍ଥାନକୁ ଖୋଳା ଯିବା ପରେ ସତକୁ ସତ ବୋଲେରା ମାଟି ତଳେ ଥିବା କଥା ଜଣାପଡ଼ିଥିଲା। ଯାହାକୁ ଦେଖି ପୁଲିସ, ସେଠାରେ ଉପସ୍ଥିତ ଥିବା ଅନ୍ୟଲୋକେ ତଥା ବାବୁଲାଲ ସୋନି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର