ବିଜେପି କାର୍ଯ୍ୟାଳକୁ ବୋମା ମାଡ଼ ଘଟଣା: ଗିରଫ ହେଲେ ଦୁଇ ଅଭିଯୁକ୍ତ

ଭୁବନେଶ୍ୱର: ଶନିବାର ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ବୋମା ମାଡ଼ ଘଟଣାରେ ଖାରବେଳନଗର ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କଟକ ସଦର ଥାନା ଅଞ୍ଚଳର ପିନାକୀ ମହାନ୍ତି (୩୫) ଓ ବିଶ୍ୱଜିତ ମଲ୍ଲିକ (୨୬)। ସୂଚନା ମୁତାବକ, ଦୁହେଁ ବାରଙ୍ଗ ଅଞ୍ଚଳର ବିଜେପି କର୍ମୀ। ଶନିିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ପିନାକୀ ଓ ବିଶ୍ୱଜିତ ବିଜେପି ରାଜ୍ୟ କାର୍ଯ୍ୟାଳୟ ଉପରକୁ ବୋମାମାଡ଼ କରିଥିଲେ। ଏହା ପରେ ଦୁହେଁ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏକ ଭିଡିଓ ଓ ଏକ ପ୍ରେସ ରିଲିଜ୍‌ ଛାଡ଼ିଥିଲେ। ଯେଉଁଥିରେ ସେମାନେ କହିଥିଲେ, ଗତ କିଛି ମାସ ହେବ ସେମାନେ ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। କିନ୍ତୁ ସେମାନଙ୍କ ସମସ୍ୟାର ସମାଧାନ ହୋଇ ନ ଥିଲା। ଏହା ଛଡ଼ା ରାଜ୍ୟରେ ବଢ଼ି ଚାଲିଥିବା ନାବାଳିକା ଦୁଷ୍କର୍ମ, ନାରୀ ସୁରକ୍ଷା, ଚିଟଫଣ୍ଡ୍‌ ଦୁର୍ନୀତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖିଥିଲେ। କିନ୍ତୁ କୌଣସି ଉତ୍ତର ଆସି ନ ଥିଲା। ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତର ୫ ଦିନ ପୂର୍ବରୁ ତାଙ୍କ କାର୍ଯର୍୍ୟାଳୟରୁ ଚିଠି ଆସିଥିଲା କି ଏହା ଓଡ଼ିଶାର କାମ। ଏଥିରେ ଦୁହେଁ ଉତ୍‌କ୍ଷିପ୍ତ ହୋଇ ଏଭଳି କାଣ୍ଡ କରିଥିଲେ ବୋଲି କହିଛନ୍ତି। ବିଜେପି ସରକାର ୪ବର୍ଷ ପୂର୍ତ୍ତି ଉପଲକ୍ଷେ କଟକଠାରେ ଆୟୋଜିତ ଜନକଲ୍ୟାଣ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ ଥିବାରୁ ବିଜେପି କର୍ମୀ ଓ ନେତାମାନେ କଟକରେ ଡେରା ପକାଇଥିଲେ। ସେହିପରି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ପୁଲିସ ମଧ୍ୟ ବ୍ୟସ୍ତ ଥିଲା। ଏଭଳି ସୁଯୋଗର ଫାଇଦା ନେଇ ଉଭୟ ପିନାକୀ ଓ ବିଶ୍ୱଜିତ କାର୍ଯ୍ୟାଳୟ ଉପରେ ବୋମାମାଡ଼ କରିଥିଲେ। ଲଗାତାର ଭାବେ ବିଜେପି କାର୍ଯ୍ୟାଳୟ କାନ୍ଥକୁ ଦୁଇଟି ବୋମାମାଡ଼ ଯୋଗୁଁ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଫଳରେ ସେଠାରେ ଥିବା ସିକ୍ୟୁରିଟି ଗାର୍ଡ ଜୀବନ ବିକଳରେ ଚିତ୍କାର କରି ଧାଇଁଥିଲେ। ଖାଲି ସିକ୍ୟୁରିଟି ଗାର୍ଡ ନୁହେଁ, ଆଖପାଖରେ ଥିବା ଲୋକମାନେ ଭୟରେ ଦୌଡ଼ାଦୌଡ଼ି ହୋଇଥିଲେ। ଖବର ପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସେଠାରେ ପରିସ୍ଥିତିରେ ପରିବର୍ତ୍ତନ ଆସିଥିଲା। ତେବେ ରାଜ୍ୟ କାର୍ଯ୍ୟାଳରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ବିଳମ୍ବିତ ରାତିରେ ପୁଲିସ ଉଭୟଙ୍କୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର