ହୋଟେଲ୍‌ ଉପରକୁ ବୋମାମାଡ଼

ଖଣ୍ଡଗିରି: ଶନିବାର ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟସ୍ଥ ହୋଟେଲ ଜୟ ଜଗନ୍ନାଥ ଉପରକୁ ‌ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିଲେ ମଧ୍ୟ ଜଣେ ହୋଟେଲ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଥାନାରେ ଅଭିଯୋଗ ହୋଇନଥିବାରୁ ପୁଲିସ ମୁହଁ ଖୋଲୁନାହିଁ। କିନ୍ତୁ ପୁଲିସ ଘଟଣାସ୍ଥଳରୁ ବୋମାରେ ବ୍ୟବହୃତ ସୂତୁଲି ଓ କାଚଗୁଣ୍ଡ ସଂଗ୍ରହ କରିଥିବା ଖବର ମିଳିଛି।  ସୂଚନାନୁସାରେ ଆଜି ରାତି ପ୍ରାୟ ସାଢ଼େ ୧୧ଟାବେଳେ ନିରଂଜନ ପାତ୍ରଙ୍କ ଜୟ ଜଗନ୍ନାଥ ହୋଟେଲର କର୍ମଚାରୀମାନେ କାମ ବନ୍ଦ କରି ନିଜେ ଖିଆପିଆ କରିବାକୁ ବାହାରିଥିଲେ। ଏତିକିବେଳେ ହୋଟେଲ ଦୁଆର ମୁହଁରେ ହଠାତ୍ ଏକ ଭୟଙ୍କର ‌ବିସ୍ଫୋରଣ ହେଲା ଓ ଚାରିଆଡ଼େ ପ୍ରବଳ ଧୂଅାଁ ଖେଳିଯାଇଥିଲା। ଜଣେ କର୍ମଚାରୀଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିଲା। କର୍ମଚାରୀମାନେ କିଛି ସମୟ ପାଇଁ ଭୟରେ ବାହାରକୁ ବାହାରି ପାରିନଥିଲେ। ପରେ ସେମାନେ ବାହାରକୁ ଆସି କାହାକୁ ପାଇନଥିଲେ। ସେତେବେଳକୁ ଦୁର୍ବୃତ୍ତମାନେ ସେଠାରୁ ଫେରାର୍ ହୋଇ ଯାଇଥିଲେ। ଖବର ପାଇ ମାଲିକ ନିରଂଜନ ହୋଟେଲକୁ ଆସିଥିଲେ ଓ ଖଣ୍ଡଗିରି ଥାନା ପୁଲିସକୁ ଖବର ଜଣାଇଥିଲେ। ପୂର୍ବ କୌଣସି ଗଣ୍ଡଗୋଳକୁ ନେଇ ଏହି ବୋମାମାଡ଼ ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର