ହସ୍‌ପିଟାଲକୁ ଭଙ୍ଗା ହାତର ଅସ୍ତ୍ରୋପଚାର ପାଇଁ ଯାଇଥିବା ବାଳକ ମୃତାବସ୍ଥାରେ ଘରକୁ ଫେରିଲା

କଲିକତା: କଲିକତା ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଏକ ଅଭାବନୀୟ ଘଟଣା ଦେଖା ଦେଇଛି। ପିତା ପୁତ୍ରର ଭଙ୍ଗା ହାତର ଅସ୍ତ୍ରୋପଚାର ପାଇଁ ହସ୍‌ପିଟାଲ ନେଇ ଯାଇଥିଲେ, କିନ୍ତୁ ଘରକୁ ପୁଅର ମୃତଦେହକୁ ନେଇ ଫେରିବାର ଘଟଣା ସମଗ୍ର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉକ୍ତ ନାବାଳକ ପରିବାରରେ ଶୋକକୁଳ ବାତାବରଣ ଖେଳି ଯାଇଛି। ମୃତ ନାବାଳକଙ୍କ ନାମ ଶେଖ ମିଜାନ୍‌ ଅଲି ବୋଲି ଜଣାପଡ଼ିଛି।

ମୃତ ଶେଖ ମିଜାନ୍‌ ଅଲିଙ୍କ ପିତା ଶେଖ୍‌ ନଦିମ୍‌ ଅଲି କହନ୍ତି, ‘ମୋ ପୁଅ ତୃତୀୟ ଶ୍ରେଣୀରେ ପାଠପଢ଼େ। ସେ ହୁଗୁଳି ଜାନଗିପାରାରେ ସାଇକେଲ ଚଳାଉଥିଲା। ଏହି ସମୟରେ ଅସାବଧାନତା ହେତୁ ସାଇକେଲରୁ ଖସି ପଡ଼ିଥିଲା। ଫଳରେ ତାର ବାମ ହାତ ଭାଙ୍ଗି ଯାଇଥିଲା। ତାକୁ ଆମେ ସଙ୍ଗେସଙ୍ଗେ ଜାନଗିପାରାସ୍ଥିତ ହସ୍‌ପିଟାଲକୁ ନେଇଥିଲୁ। ସେଠାରେ ଡାକ୍ତର ପୁଅ ଶେଖ ମିଜାନ୍‌ର ହାତକୁ ବେଣ୍ଡେଜ କରି ଅସ୍ତ୍ରୋପଚାର ଆବଶ୍ୟକ, ଆମେ ପାଖରେ ସେ ସବୁ ସାମଗ୍ରୀ ନାହିଁ ବୋଲି କହି ଡାକ୍ତର କଲିକତା ହସ୍‌ପିଟାଲକୁ ସ୍ଥାନାନ୍ତର କରିଦେଇଥିଲେ। ମୋ ପୁଅକୁ ସନ୍ଧ୍ୟା ୬ଟା ବେଳେ ହସ୍‌ପିଟାଲରେ ଭର୍ତ୍ତି କରିଥିଲି। ଅସ୍ତିଶଲ୍ୟ ବିଭାଗର ଡାକ୍ତର ପୁଅର ଅସ୍ତ୍ରୋପଚାର ରାତି ୧୧ଟାରେ ଆରମ୍ଭ କରିଥିଲେ। କିଛି ସମୟ ପରେ ଜଣେ ଡାକ୍ତର ଆସି କହିଲେ ପୁଅର ସ୍ୱାସ୍ଥ୍ୟାବସ୍ଥା ଶୋଚନୀୟ ହୋଇପଡ଼ିଛି। ପାଖାପାଖି ୩ଟା ବେଳେ ମୋତେ ଡାକ୍ତର ଆସି କହିଥିଲେ ଅସ୍ତ୍ରୋପଚାର ପରେ ପୁଅର ଚେତା ଫେରୁ ନାହିଁ।’

ତା’ପର ଦିନ ସକାଳ ୭ଟାରେ ପୁଅ ମୃତ ବୋଲି ଡାକ୍ତର ଘୋଷଣା କରିଥିଲେ। ଯାହାକୁ ଶୁଣିବା ପରେ ମୁଁ ଜୀଅନ୍ତା ଶବ ପାଲଟି ଯାଇଥିଲି। ମୁଁ ଜାଣିଛି ମୋର ପୁଅ ସୁସ୍ଥ ଥିଲା। କିନ୍ତୁ ଯାହାଙ୍କୁ ଆମେ ଭଗବାନ ବୋଲି ଭାବି ଥାଉ ସେମାନେ ଯଦି ଏମିତି ରୋଗିମାନଙ୍କ ସହିତ ଅବହେଳା କରିବେ ତେବେ କାହାକୁ ବିଶ୍ୱାସ କରିବା। ଡାକ୍ତରଙ୍କ ଅବହେଳ ଯୋଗୁ ହିଁ ମୋର ପୁଅର ମୃତ୍ୟୁ ହୋଇଛି। କେତେକ ଜଣ ସମ୍ପର୍କୀୟ ମୋତେ ବୁଝାସୁଝା କରିବା ପରେ ଧୈର୍ଯ୍ୟ ଧରି ପୁଲିସରେ ପୁଅର ଅସ୍ତ୍ରୋପଚାର କରୁଥିବା ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରିଥିଲି।’

ତେବେ ଏହି ଘଟଣା ସମ୍ପର୍କରେ ଅସ୍ତିଶଲ୍ୟ ବିଭାଗର ଡାକ୍ତର ପ୍ରଭାସ ପ୍ରସନ୍‌ ଗିରିଙ୍କ କହିବାନୁସାରେ, ‘ପୁଅର ହୃଦୟଅବସ୍ଥା ଠିକ୍‌ ନଥିଲି। ଯାହାଫଳରେ ଅସ୍ତ୍ରୋପଚାର ପରେ ମିଜାନ୍‌ର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଆମେ ବହୁ ଚେଷ୍ଟା କରିବା ପରେ ବି ତାଙ୍କୁ ବଞ୍ଚାଇ ପାରି ନଥିଲୁ।’

ସମ୍ବନ୍ଧିତ ଖବର