ନୋଏଡ଼ା: ଦିଲ୍ଲୀର ନୋଏଡ଼ାଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୧୬ ବର୍ଷିଅ ବାଳକ କ୍ରିକେଟ୍ ବ୍ୟାଟ୍, କଇଁଚି ଏବଂ ପିଜା କଟର୍ ବ୍ୟବହାର କରି ନିଜ ମାଆ ଭଉଣୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବାଳକ ଜଣକ ପାଠରେ ମନ ନ ଦେଖି ଖେଳିବାକୁ ପସନ୍ଦ କରୁଥିଲେ। ତାଙ୍କ ଖେଳକୁ ବିରୋଧ କରି ମାଆ ଓ ଭଉଣୀ ତାଙ୍କୁ ପାଠ ପଢ଼ିବାକୁ କହୁଥିବାରୁ କ୍ରୋଧରେ ଆସି ବାଳକ ଜଣକ ନିଜ ୪୨ ବର୍ଷୀୟା ମାଆ ଅଞ୍ଜଳି ଅଗ୍ରଓ୍ଵାଲ୍ ଏବଂ ୧୨ ବର୍ଷୀୟା ଭଉଣୀ କନିକାଙ୍କୁ ହତ୍ୟା କରିଥିବା ପୁଲିସ୍ ସମ୍ମୁଖରେ ସ୍ୱୀକାର କରିଛନ୍ତି।
ଅଞ୍ଜଳି ଏବଂ କନିକାଙ୍କ ମୃତ ଦେହ କୌର ସହରରେ ସେମାନେ ରହୁଥିବା ଆପାର୍ଟମେଣ୍ଟ୍ ଭିତରୁ ପୁଲିସ୍ ଉଦ୍ଧାର କରିଛି। ସୋମବାର ରାତିରୁ ଏହି ଘଟଣା ଘଟିବା ପରେ ବାଳକ ଜଣକ ଫେରାର୍ ଥିଲେ। ତାଙ୍କୁ ପୁଲିସ୍ ବନାରସରୁ ଧରି ନୋଏଡ଼ାକୁ ଆଣିଛି। ପୁଲିସ୍ ଆଗରେ ସେ ସବୁ ସତ କଥା ସ୍ୱୀକାର କରିଥିବା ଜାଣିବାକୁ ମିଳିଛି। ଅଞ୍ଜଳି ଏବଂ କନିକା ଶୋଇଯିବା ପରେ ରାତି ୧୧ଟାରେ ଯୁବକ ଜଣକ ସେମାନଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।
ଶରୀର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦେଖିବାକୁ ମିଳିଛି ଯେ ଅଞ୍ଜଳିଙ୍କ ମୁଣ୍ଡରେ ୭ ଜାଗା କ୍ଷତ ଚିହ୍ନ ରହିଥିବା ବେଳେ କନିକାଙ୍କ ମୁଣ୍ଡରେ ୫ ଜାଗାରେ ମାଡ଼ ହୋଇଛି। ମାଆ, ଭଉଣୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ନିଜର ରକ୍ତ ଲଗା ପୋଷାକକୁ ଘରେ ଛାଡ଼ି କେଉଁଆଡ଼େ ପଳାଇ ଯାଇଥିଲା। ଯିବାବେଳେ ସେ ଟଙ୍କା ସହ ନିଜ ମାଆଙ୍କ ମୋବାଇଲ୍ ଫୋନ୍ ସାଥିରେ ନେଇ ଯାଇଥିଲା। ଘରୁ ବାହାରି ଯୁବକ ଜଣକ ଚଣ୍ଡିଗଡ଼କୁ ଏକ ଟ୍ରେନ୍ ଧରିଥିଲା। ସେଠାରୁ ସେ ଆଉ ଏକ ଟ୍ରେନ୍ ଯୋଗେ ଯାଇ ସିମ୍ଲାରେ ପହଞ୍ଚିଥିଲା। ତା’ପରେ ସେ ମୋଗଲ ସରାଇ ଯାଇ ଶେଷରେ ବନାରସରେ ଲୁଚିଥିଲା। ସେଠାରେ ପୁଲିସ୍ ତାକୁ ଗିରଫ କରିଥିଲା।
ପୁଲିସ୍ ପ୍ରଦାନ କରିଥିବା ସୂଚନା ମୁତାବକ, ବାଳକ ଜଣକ ନିଜ ମୋବାଇଲ୍ରେ କ୍ରାଇମ୍ ଗ୍ୟାଙ୍ଗ୍ଷ୍ଟାର୍ ଗେମ୍ ରଖି ସେଥିରେ ଖେଳରେ ଖେଳରେ ଅପରାଧ କୌଶଳ ଶିଖୁଥିଲା। ଘରେ ଥିବା ଅନ୍ୟ ଇଲେକ୍ଟ୍ରୋନିକ୍ସ ଡିଭାଇସ୍ରୁ ମଧ୍ୟ ଏହି ଗେମ୍ ମିଳିଥିଲା। ପୂର୍ବରୁ ବାଳକଙ୍କ ପରିବାର ଲୋକେ ଦାବି କରିଥିଲେ ଯେ ଆମ ପୁଅ ନିର୍ଦୋଷ। ସେ କେବେ କାହା ହତ୍ୟା କରିପାରେନା।