ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ପ୍ରେମ ପାଇଁ ଘରୁ ଫେରାର ହୋଇ ଚାଲି ଆସିଥିଲେ। କିନ୍ତୁ ଅଧା ବାଟରେ ପ୍ରେମିକ ହିଁ ତାଙ୍କ ଜୀବନ ନେଇ ଯାଇଥିଲା। ଜୀବନ ନେବା ପରେ ନିଷ୍ଠୁର ପ୍ରେମିକ ପ୍ରେମିକାଙ୍କ ମୃତଦେହକୁ ଜାତୀୟରାଜପଥରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲା।  ଏହାପରେ ନିଜେ ଫୋନ କରି ଏହି ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲା।

Advertisment

ପୁଲିସ ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ଗୁଲବେଜ ରାମପୁରର ସହଜାଦ ନଗରରେ ବସବାସ କରେ। ସେ ଜ‌ଣେ ଯୁବତୀଙ୍କୁ ଗତ ୪ରୁ୫ ବର୍ଷ ହେବ ଭଲ ପାଇ ଆସୁଥିଲା। ଗୁଲବେଜ ବିବାହ ପାଇଁ ଘରେ କହିବାରୁ ପରିବାରଲୋକ ଏହି ପ୍ରସ୍ତାବରେ ରାଜି ହୋଇ ନଥିଲେ। ଏହାପରେ ଗୁଲବେଜ ତାଙ୍କ ପ୍ରେମିକାଙ୍କୁ ଫେରାର ହେବାକୁ କହିଥିଲା। ଗୁଲବେଜ କଥାରେ ତାଙ୍କ ପ୍ରେମିକା ରାଜି ହୋଇ ଘରୁ ବାହାରି ହୋଇ ଚାଲି ଆସିଥିଲେ।

କିଛିବାଟ ଆସିବା ପରେ ଗୁଲବେଜ ଓ ତାଙ୍କ ପ୍ରେମିକାଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଏଥିରେ ଗୁଲବେଜ ରାଗି ଯାଇ ପାଖରେ ଥିବା ଛୁରୀ ବାହାର କରି ପ୍ରେମିକାଙ୍କୁ ଭୁସିବାକୁ ଆସିଥିଲା। ଏହା ଦେଖି ପ୍ରେମିକା ଗୁଲବେଜକୁ କହିଥିଲେ, ‘ ତୁମେ ଏତେ ନିଷ୍ଠୁର କେମିତି ହେଲ? ତୁମ ଭଲପାଇବା ପାଇଁ ମୁଁ ମୋର ପରିବାର, ଘର ସମସ୍ତଙ୍କୁ ଛାଡ଼ି ଚାଲି ଆସିଥିଲି। କେଇ ପଦ କଥ‌ା କହି ଦେଲି  ଯେ ତୁମେ ମୋତେ ମାରିବାକୁ ଛୁରୀ ବାହାର କରିଛି?’

ଗୁଲବେଜ କିନ୍ତୁ ପ୍ରେମିକାର କୌଣସି କଥା ଶୁଣିଲା ନାହିଁ। ସେ ଛୁରୀ ଭୁସି କଲା ହତ୍ୟା। ଏହାପରେ ୧୧୨ନମ୍ବରକୁ ଫୋନ କରି କହିଥିଲା, ‘ସେ ଜାତୀୟ ରାଜପଥରେ ଏକ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଛି।’

ପୁଲିସ ଏହି ଫୋନ ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ସତ‌ରେ ମୃତଦେହ ଦେଖିବାକୁ ପାଇଥିଲା। ପୁଲିସ ସଙ୍ଗେସଙ୍ଗେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଫୋନ ନମ୍ବର ଟ୍ରାକ କରି ଗୁଲବେଜ ସହିତ ଯୋଗାଯୋଗ କରିଥିଲା। ଆଉ ଥାନାକୁ ଡକାଇ ପଚରାଉଚରା ପରେ ଗୁଲବେଜ ପୁଲିସ ସାମ୍ନାରେ ଅପରାଧ ସ୍ବୀକାର କରିଥିଲା।

ଆଉ କହିଥିଲା, ‘ ମୁଁ ମୋର ପ୍ରେମିକାକୁ ହତ୍ୟା କରିବାକୁ ଯାଉଥିବା ସମୟରେ ସେ ମୋତେ କହିଥିଲା,‘‘ତୁମେ ଏତେ ନିଷ୍ଠୁର କେମିତି ହେଲ। ତୁମ ଭଲପାଇବା ପାଇଁ ମୁଁ ମୋର ପରିବାର, ଘର ସମସ୍ତଙ୍କୁ ଛାଡ଼ି ଚାଲି ଆସିଥିଲି। କେଇ ପଦ କଥ‌ା କହି ଦେଲି  ଯେ ତୁମେ ମୋତେ ମାରିବାକୁ ଛୁରୀ ବାହାର କରିଛି।’’