ରିଓ ଡି ଜେନେରିଓ: ପ୍ରାୟ ୪ ମାସ ହେବ ନିଖୋଜ ହୋଇଯାଇଥିବା ବ୍ରାଜିଲ୍‌ ଅଭିନେତା ଜେଫର୍‌ସନ୍‌ ମାସାଡୋଙ୍କ ଶବ ରିଓ ଡି ଜେନେରିଓସ୍ଥିତ ଏକ ଘର ପଛରେ ପ‌ୋତା ହୋଇଥିବା ଗୋଟାଏ କାଠବାକ୍ସରୁ ଉଦ୍ଧାର କରାଯାଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌ ରିପୋର୍ଟ’ କରିଛି।

Advertisment

ମାସାଡୋଙ୍କ ମୃତ୍ୟୁ ସମ୍ବାଦକୁ ସୁନିଶ୍ଚିତ କରି ତାଙ୍କ ପାରିବାରିକ ବନ୍ଧୁ ସିଣ୍ଟିଆ ହିଲ୍‌ସେଣ୍ଡର୍‌ଗର୍‌ ତାଙ୍କ (ମାସାଡୋ) ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ରେ ଲେଖିଛନ୍ତି, ଅତ୍ୟନ୍ତ ଦୁଃଖରେ ଜଣାଉଛୁ କି, ମେ ୨୨ ତାରିଖ ଦିନ ଜେଫ୍‌ଙ୍କ ମରଶରୀର ଉଦ୍ଧାର କରାଯାଇଛି।

ସରକାରୀ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଗୋଟାଏ ଘରର ପଛ ପଟେ ଥିବା ଜାଗାରେ ୬ ଫୁଟ୍‌ ମାଟି ଭିତରେ କଂକ୍ରିଟ୍‌ରେ ଆବୃତ କରାଯାଇ ପୋତାଯାଇଥିବା ଏକ କାଠ ବାକ୍ସ ଭିତରୁ ବନ୍ଧାବନ୍ଧି ହୋଇ ‘ପ୍ୟାକ୍‌’ ହୋଇଥିବା ଅବସ୍ଥାରେ ୪୪ ବର୍ଷିୟ ଜେଫର୍‌ସନ୍‌ଙ୍କ ଶବ ଉଦ୍ଧାର କରାଯାଇଛି।

publive-image Image Courtesy of NDTV

ତାଙ୍କ ପାରିବାରିକ ଓକିଲ ଜାଇରୋ ମାଗାଲ୍‌ହାଏସ୍‌ କହିଛନ୍ତି, ମାସାଡୋଙ୍କ ହାତ ପଛଆଡୁଆ କରି ବନ୍ଧା ଯାଇ ତାଙ୍କ ନିଜ ଘରର ବାକ୍ସ ପରି ଦିଶୁଥିବା ଗୋଟାଏ ବାକ୍ସରେ ଭର୍ତ୍ତି କରାଯାଇ ପୋତାଯାଇଥିଲା। ଆଙ୍ଗୁଠି ଚିହ୍ନ ମିଳାଇ ତାଙ୍କ ଶବ ଚିହ୍ନଟ କରାଯାଇଛି। ତାଙ୍କ ଗଳାରେ ଥିବା ଗୋଟାଏ ଦାଗରୁ ଜଣାପଡୁଛି ଯେ, ଶ୍ବାସରୁଦ୍ଧ କରାଯାଇ ତାଙ୍କୁ ହତ୍ୟା କରାଯାଇଛି।

ଉକ୍ତ ଘରକୁ ଭଡ଼ା ଦେଇଥିବା ବ୍ୟକ୍ତିଙ୍କ ଉପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ପ୍ରାୟ ମାସେ ତଳେ ସେ ଏହି ଘର ଭିତରକୁ ପ୍ରବେଶ କରିଥିବା ଜଣାପଡ଼ିଛି।

ଜେଫର୍‌ସନ୍‌ ପାଳିଥିବା ୮ଟି କୁକୁର ବେସାହାରା ହୋଇ ଅଭିନେତାଙ୍କ ଘରେ ପଡ଼ିଥିବା କଥା ଏକ ‘ଏନ୍‌ଜିଓ’ ତାଙ୍କ ପରିବାରକୁ ସୂଚନା ଦେବା ପରେ ଯାଇ ସେ ନିଖୋଜ ହୋଇଥିବା କଥା ଜଣାପଡ଼ିଥିଲା।